ଓଡ଼ିଆ ଫଳକକୁ ନେଇ ଉଠିଲା ବିବାଦ, ଓଡ଼ିଆ ଭାଷା ସ୍ଥାନ ପାଇନଥିବାରୁ ଭାଷା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ 

ଭୁବନେଶ୍ୱର: ବାଣୀବିହାର ପ୍ଲାଟିନମ୍ ଜୁବଲି ଉତ୍ସବ ପାଳୁଥିବା ବେଳେ ଫଳକ ଲେଖାକୁ ନେଇ ବିବାଦ ଉପୁଜିଛି । ଫଳକରେ କାହିଁକି ଓଡ଼ିଶା ଭାଷା ସ୍ଥାନ ପାଇନାହିଁ, ଏ ନେଇ ଆପତ୍ତି ଉଠାଇଛନ୍ତି ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ । ସେହିପରି ବରିଷ୍ଠ ସାମ୍ବାଦିକ ଅସିତ ମହାନ୍ତି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏବେ ମହାସମାରୋହରେ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଉଛି ବିଶ୍ୱବିଦ୍ୟାଳୟର ୭୫ତମ ଜୟନ୍ତୀ ବା ପ୍ଲାଟିନମ୍ ଜୟନ୍ତୀ । ତେବେ ଉତ୍ସବ ସ୍ଥଳର ମୁଖ୍ୟ ମଂଚଠାରୁ ଆରମ୍ଭ କରି କୌଣସି ସ୍ୱାଗତ ତୋରଣରେ ଓଡ଼ିଆ ଭାଷା ନଥିବାରୁ ଭାଷାପ୍ରେମୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରାୟତଃ ରାଜ୍ୟର ଅନେକ ପ୍ରମୁଖ ମନ୍ତ୍ରୀ ଓ ନେତା ଏକଦା ଏହି କଲେଜର ଛାତ୍ର ଥିଲେ । ହେଲେ ସବୁଆଡ଼େ ରାଜୁତି କରିଛି କେବଳ ଇଂରାଜୀ ଭାଷା । ପ୍ରମୁଖ ମଂଚ କିମ୍ବା ଗେଟରେ କୌଣସିଠାରେ ଓଡ଼ିଆରେ ନାମଫଳକ ନାହିଁ । ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ଉତ୍ସବର ଉତ୍ସବରେ ଏକଥା ଉଠାଇଥିଲେ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟ । ୧୯୩୬ରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହେବା ପରେ ୧୯୪୩ରେ ପ୍ରତିଷ୍ଠା ହୋଇଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ ।

ଏହା ହେଉଛି ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ । ଓଡ଼ିଆ ଭାଷା ତାର ସ୍ୱାତନ୍ତ୍ର୍ୟ ପାଇଁ ଦେଶର ୬ଟି ଶାସ୍ତ୍ରୀୟ ଭାଷା ଭିତରେ ସ୍ଥାନ ପାଇଛି । ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ବ୍ୟାବସାୟିକ ନାମଫଳକରେ ଅନ୍ୟ ଭାଷା ବ୍ୟତୀତ ଓଡ଼ିଆ ଭାଷା ନଲେଖିଲେ ଶ୍ରମ ଆଇନ ଅନୁସାରେ ଜୋରିମାନାର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର