ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ପ୍ରତିଭା ରାୟ, ‘ବାକ୍‌ ସ୍ବାଧୀନତା ଆଳରେ ବିଦ୍ବେଷକାରୀ ଲେଖା ଗ୍ରହଣୀୟ ନୁହେଁ’

ଭୁବନେଶ୍ୱର: ନିଜର ମାଟି ଓ ଭାଷା, ଅନ୍ତରର ‌ଚେତନା ଓ ବିଶ୍ବମୟ ଅନନ୍ତ ଆକାଶ। ଏହି ତିନିପାଦ ଭୂମି ଉପରେ ସାହିତ୍ୟ ଦଣ୍ଡାୟମାନ। କାଳଜୟୀ ସାହିତ୍ୟ ପ୍ରେମ, ନିର୍ଭୟତା ଓ ନିରହଂକାରିତା ଡୋରରେ ବନ୍ଧା ସାହିତ୍ୟର ଲକ୍ଷ୍ୟ ସାମୂହିକ ସ୍ବାର୍ଥ ସାଧନ। ବାକ୍‌ ସ୍ବାଧୀନତା ଆଳରେ ବିଦ୍ବେଷକାରୀ ଲେଖା ଗ୍ରହଣୀୟ ନୁହେଁ। ଏହା ସାହିତ୍ୟିକର ସ୍ବାଧୀନତା ନୁହେଁ ବୋଲି କହିଛନ୍ତି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ। ରାଜ୍ୟ ସଚିବାଳୟରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ଅଷ୍ଟାଦଶ ବକ୍ତୃତା ପ୍ରଦାନ କରିବା ଅବସରରେ ସେ ଏହା କହିଛନ୍ତି। ଉନ୍ନୟନ କମିସନର ତଥା ଅତିରିକ୍ତ ଶାସନ ସଚିବ ଆର. ବାଲାକ୍ରିଷ୍ଣନ୍‌ ଡ. ରାୟଙ୍କ ପରିଚିୟ ପ୍ରଦାନ ଅବସରରେ କହିଥିଲେ, ଜ୍ଞାନପୀଠ, ପଦ୍ମଶ୍ରୀ ଓ ସାହିତ୍ୟ ଏକାଡେମି ଆଦି ପୁରସ୍କାର ପାଇଥିବା ଡ. ରାୟ ଓଡ଼ିଶାର ଘରେ ଘରେ ପରିଚିତ। ଗତ ମାସରେ ଭାରତୀୟ ଜ୍ଞାନପୀଠ ପୁରସ୍କାର ବୋର୍ଡର ଅଧ୍ୟକ୍ଷା ଭାବେ ଅଧିଷ୍ଠିତ ହୋଇ ସେ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ବୋଲି ବାଲାକ୍ରିଷ୍ଣନ୍‌ କହିଥିଲେ। ଯୋଜନା ଓ ସମନ୍ବୟ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଉଷା ଦେବୀ ଡ. ରାୟଙ୍କୁ ଜ୍ଞାନପୁଞ୍ଜ ବକ୍ତୃତାମାଳା ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ସଚିବାଳୟରେ ରାଜ୍ୟର ବିକାଶ ପାଇଁ ଜ୍ଞାନ ଅନ୍ବେଷଣ ଉଦ୍ଦେଶ୍ୟରେ ଗଠିତ ଜ୍ଞାନପୁଞ୍ଜ ବକ୍ତୃତମାଳା ଭଳି ଏକ ଅଭିନବ ପ୍ରୟାସ ପ୍ରମାଣ କରୁଛି ଯେ, ଆମେ ଅଧିକ ସୁସଂସ୍କୃତ ହେଉଛୁ, ପଢ଼ୁଛୁ, ଅନ୍ୟକୁ ଶୁଣୁଛୁ ଏବଂ ରାଜ୍ୟ ସମୃଦ୍ଧ ହେଉଛି ବୋଲି ସମ୍ବର୍ଦ୍ଧିତ ହେବା ଅବସରରେ ଡ. ରାୟ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ବକ୍ତୃତା ଶୁଣିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଧାୟିକା ରାଶେଶ୍ବରୀ ପାଣିଗ୍ରାହୀ, ପ୍ରମିଳା ମଲ୍ଲିକ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶିକ୍ଷାବିତ୍‌ ଓ ସାହିତ୍ୟିକମାନେ ଯୋଗ ଦେଇଥିଲେ। ଏହି ବକ୍ତୃତାମାଳାକୁ ସଚିବାଳୟର ଦ୍ବିତୀୟ ମହଲା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ବିଭିନ୍ନ ଜିଲ୍ଲା ଓ ସଦର ମହକୁମା ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସଂଯୋଗ କରାଯାଇଥିଲା। ସେଠାରୁ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ସାହିତ୍ୟିକ ଓ ଲେଖକମାନେ ସିଧାସଳଖ ଡ. ରାୟଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର