ବାଲେଶ୍ବର: ବିନା ପ୍ରଶିକ୍ଷଣରେ ଚିତ୍ରକଳାରେ ସେ ଲୋକଙ୍କ ମନ ଜିଣୁଛନ୍ତି। ସୁନ୍ଦର ସୁନ୍ଦର ଚିତ୍ର କରି ସେ ଆଜି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛନ୍ତି। ତାଙ୍କ ଚିତ୍ରକଳା ପାଇଁ କିଛିଦିନ ଭିତରେ ଟ୍ୟୁଟରରେ ୩୦ ହଜାରରୁ ଅଧିକ ଫଲୋଅର୍ସ ହୋଇଛନ୍ତି। ମଣ୍ଡଳ ଓ ମଧୁବାଣୀ ଚିତ୍ରକଳାରେ ସେ ନିପୂଣା। ମଧୁବାଣୀରେ ରାଧାକୃଷ୍ଣଙ୍କ ଚିତ୍ରକଳା କଥା କୁହନ୍ତୁ କିମ୍ବା ବାଲେଶ୍ବରକୁ ନେଇ ବିଭିନ୍ନ ସଚେତନତାମୂଳକ ଚିତ୍ରକଳା କରି ସେ ପ୍ରଶଂସା ସାଉଁଟିଛନ୍ତି। ଏବେ ତାଙ୍କର ଚିତ୍ରକଳାକୁ ଦେଖି ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତାକୁ କିଣିବାକୁ ଅର୍ଡର କରୁଛନ୍ତି। ଏହି ଶିଳ୍ପୀ ଜଣକ ହେଉଛନ୍ତି ବାଲେଶ୍ବର ଗୋପାଳପୁର ନୂଆପୁର ଅଞ୍ଚଳର ଶଙ୍କର୍ଷଣ ଜେନା ଓ ବଧୁରିତା ଜେନାଙ୍କ ବଡ଼ଝିଅ ପ୍ରତ୍ୟୁସିନୀ(୨୪)।
ପେସାରେ ପ୍ରତ୍ୟୁସିନୀ ଶିକ୍ଷୟିତ୍ରୀ ହୋଇଥିବା ବେଳେ ନିଶା କିନ୍ତୁ ତାଙ୍କର ଚିତ୍ରକଳା। ଏବେ ସେ ମାଲକାନାଗିରିରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ପିଲାଟି ଦିନରୁ ଚିତ୍ରକଳା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ପରେ ୟୁଟ୍ୟୁବ୍ରୁ ଦେଖି ସେ ଚିତ୍ର କରିବା ଆରମ୍ଭ କରିଥିଲେ। ଆଜି ସେ ଜଣେ ଦକ୍ଷ ଚିତ୍ରଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ପ୍ରତ୍ୟୁସିନୀ ବିଶେଷକରି ବାଲେଶ୍ବରର ପର୍ଯ୍ୟଟନ ଶିଳ୍ପ, କରୋନାର ସଚେତନତାର ବାର୍ତ୍ତା, ରାଧାକୃଷ୍ଣଙ୍କ ବିଭିନ୍ନ କଳାକୃତି, ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ରୂପକୁ ସେ ଏହି ଚିତ୍ରକଳା ମାଧ୍ୟମରେ ଦେଖାଇଛନ୍ତି। ଚାକିରି ପରେ ଯେତିକି ସମୟ ମିଳେ ସେ ଚିତ୍ରକଳାକୁ ଗୁରୁତ୍ବ ଦେଇଥାନ୍ତି। ପ୍ରତ୍ୟୁସିନୀ କୁହନ୍ତି, ଚିତ୍ରକଳାରେ ପ୍ରଶିକ୍ଷଣ ନେବାକୁ ଇଚ୍ଛା ଥିଲେ ବି ସୁଯୋଗ ମିଳିନଥିଲା। ନିଜସ୍ବ ଉଦ୍ୟମରେ ଶିଖି ବହୁ ଚିତ୍ର କରି ପାଖରେ ରଖୁଥିଲି। ହେଲେ ଯେବେଠୁ ଟ୍ବିଟରରେ ଏହାକୁ ଛାଡ଼ିଲି କିଛିଦିନ ଭିତରେ ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବା ସହିତ ମୋ ଚିତ୍ରକୁ ନେଇ ପ୍ରଶଂସା ସାଉଁଟିଲି। ଯାହା ମୋତେ ପରବର୍ତ୍ତୀ ସମୟରେ ଚିତ୍ରକଳା ପ୍ରତି ଆହୁରି ପ୍ରେରଣା ଯୋଗାଇଲା। କରୋନା ଲକ୍ଡାଉନ୍ ସଟ୍ଡାଉନ୍ ସମୟରେ ରାକ୍ଷୀ ପୂର୍ଣ୍ଣମୀରେ ନିଜେ ବିଭିନ୍ନ ରାକ୍ଷୀ ତିଆରି କରିଥିଲି। ଯାହାକୁ ଲୋକେ ବେଶ୍ ପସନ୍ଦ କରିଥିଲେ। ତେବେ ଚାକିରି ସହ ଚିତ୍ରକଳାକୁ ସମାନ ଗୁରୁତ୍ବ ଦେଉଥିବା ପ୍ରତ୍ୟୁସିନୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/6269b4db-7268-4cfe-a3ef-85ae17861702.jpg)