ପିଲାବେଳେ ସ୍କୁଲ୍ରୁ ଫେରିବା ପରେ ବାପାଙ୍କର ପଥର ଉପରେ ନିହାଣର ଠକ୍ଠକ୍ ଶବ୍ଦ ତାଙ୍କୁ ଅଟକେଇ ଦେଉଥିଲା। ସେ ଖାତାରେ ତୁରନ୍ତ ସେଇ ଆକୃତିର ମୂର୍ତିଟାକୁ ଉତାରି ଦେଉଥିଲେ। ଚିତ୍ରଟା ଭଲ ଦେଖାଗଲା। ସେଇଠୁ ବାପା ତାଙ୍କୁ ନେଇ ୧୯୭୫ରେ ରାଜ୍ୟ ହସ୍ତଶିଳ୍ପ ତାଲିମ୍ କେନ୍ଦ୍ରରେ ଭର୍ତି କରିଦେଲେ। ସେଇଠୁ ବିକଶିତ ହୋଇଥିଲା ତାଙ୍କ ସୃଜନ ମସ୍ତିଷ୍କ। ପଥରରେ ଜୀବନ୍ୟାସ ଦେଇ ଖାଲି ଭାରତରେ ନୁହେଁ ବରଂ ଅନ୍ୟ ୧୨ଟି ଦେଶରେ ବି ତାଙ୍କ କୃତିତ୍ୱର ଜୟଯାତ୍ରାକୁ ସୁଦୂରପ୍ରସାରୀ କରିଥିବା ଶିଳ୍ପୀ ଜଣକ ହେଉଛନ୍ତି ପ୍ରଭାକର ମହାରଣା। ହସ୍ତଶିଳ୍ପରେ ଅନନ୍ୟ କୃତିତ୍ୱ ନିମନ୍ତେ ସେ ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଥିବା ବେଳେ ତାଙ୍କ ସହ ଆଳାପରୁ କେଇପଦ…
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ବର୍ଷ ପରେ ଜଣେ ପଥର ଶିଳ୍ପୀଙ୍କୁ ଆପଣଙ୍କ ନାମରେ ପଦ୍ମଶ୍ରୀ ସମ୍ମାନ ମିଳିଲା, ପୁରସ୍କାର ଖବର କେତେ ଆନନ୍ଦ ଦେଇଥିଲା?
ଖବର ପ୍ରଘଟ ହେବାର ୨ ଘଣ୍ଟା ପୂର୍ବରୁ ମୋ ପାଖକୁ ଫୋନ୍ ଆସିଥିଲା। କିନ୍ତୁ ବିଶ୍ୱାସ ହେଲାନି। ପରେ ଯେତେବେଳେ ଗଣମାଧ୍ୟମରୁ ଜାଣିଲି ଖୁସିରେ ଆତ୍ମହରା ହୋଇଯାଇଥିଲି। ତେବେ ନିଜେ ପୁରସ୍କାର ପାଉଛି ବୋଲି ନୁହେଁ ବରଂ ପଥର କାରିଗରୀକୁ ଅନେକ ଦିନ ପରେ ଏତେ ବଡ଼ ସମ୍ମାନ ମିଳିଥିବାରୁ। ମନେମନେ ଭାବିଥିଲି କୌଳିକ ବୃତ୍ତିକୁ ବଞ୍ଚେଇ ରଖିବାର ଇଏ ହେଉଛି ସ୍ୱୀକୃତି।
ଆପଣଙ୍କ ମତରେ କାରିଗର କୂଳ ପାଇଁ ସବୁଠୁ ବଡ଼ ପୁରସ୍କାର କ’ଣ?
ପଥର ଭିତରେ ଜଣେ ବ୍ୟକ୍ତିତ୍ୱ ଏବଂ ତା ଭିତରେ ଭାବ ଓ ଲାଳିତ୍ୟର ପରିପ୍ରକାଶ ହେବା ପରେ ଯେବେ ତାହା ଆତ୍ମ ସନ୍ତୋଷ ଦିଏ ତାହା ହିଁ ମୋ ପାଇଁ ସବୁଠୁ ବଡ଼ ପୁରସ୍କାର। ଏଣିକି ତାକୁ ପୁରସ୍କାର ମିଳୁ କି ନମିଳୁ।
କଞ୍ଚାମାଲ୍ର ଅଭାବ ନେଇ ଢେର୍ ଦିନ ହେଲା ସ୍ୱର ଉଠିଲାଣି। ସରକାର ଏଥିପ୍ରତି ଉଦାସୀନ ବୋଲି ଭାବୁଛନ୍ତି କି?
ସଂପ୍ରତି କୌଣସି ପଥର ଖଣି ମୂର୍ତି ପାଇଁ ଲିଜ୍ ଦିଆଯାଉ ନାହିଁ। ତେଣୁ ୧୦ ବର୍ଷ ହେଲା ରାଜସ୍ଥାନରୁ ପଥର ମଗେଇବାକୁ ପଡ଼ୁଛି। ଆମର ଶହଶହ କାରିଗର ବି ରାଜସ୍ଥାନ ଚାଲି ଯାଉଛନ୍ତି। ପଥର ନ ମିଳିବାରୁ ବହୁତ ସମସ୍ୟା ଭୋଗିବାକୁ ପଡ଼ୁଛି। ଯଦିଓ ପଥର ଶିଳ୍ପରେ ଭବିଷ୍ୟତ ଅଛି କିନ୍ତୁ ପଥରର ଅଭାବ ବୃତ୍ତି ଛଡ଼େଇ ନେବାକୁ ବାଧ୍ୟ କରୁଛି।
ପଥର କାରିଗରୀ ଏବଂ ଯୁବ କାରିଗରଙ୍କ ଭବିଷ୍ୟତ ସମ୍ପର୍କରେ କ’ଣ କହିବେ?
ପଥର ମୂର୍ତିକୁ ମନପ୍ରାଣ ଦେଇ ଗଢ଼ି ପାରିଲେ ବିଦେଶରେ ତା’ର ଅନେକ ଗ୍ରାହକ ଅଛନ୍ତି। କିନ୍ତୁ ତାଙ୍କ ଅନୁସାରେ ମୂର୍ତିକୁ ଗଢ଼ିବା ପାଇଁ ସେତିକି ନିଷ୍ଠା ଏବଂ ମସ୍ତିଷ୍କକୁ ସୁଦୂରପ୍ରସାରୀ କରିବାକୁ ପଡ଼ିବ। କିନ୍ତୁ ଏବେ ଯୁବପିଢ଼ିର ଶିଳ୍ପୀଙ୍କ ମଧ୍ୟରେ ଧୈର୍ଯ୍ୟ କମିଗଲାଣି। ଯାହା ଏକ ଭଲ ଲକ୍ଷଣ ନୁହେଁ।
କୋଣାର୍କର ଦ୍ୱିତୀୟ ପ୍ରତିରୂପ ସୃଷ୍ଟି ହେବର ନେଇ ଚର୍ଚା ହେଉଛି, ଏ ସମ୍ପର୍କରେ କ’ଣ କହିବେ?
ବାରଶହ ବଢ଼େଇଙ୍କର ମୁଁ ଉତ୍ତରଦାୟଦ। ଘର କୋଣାର୍କ ନିକଟ ସୁଜା ନଗରରେ ହୋଇଥିବାରୁ ମୁଁ ଓ ମୋ ଭଳି କେତେ ପଥର ଶିଳ୍ପୀ କୋଣାର୍କକୁ ଦେଖିଦେଖି ଅନେକ କିଛି ଆହରଣ କରିଛନ୍ତି। ତେବେ ଦ୍ୱିତୀୟ କୋଣାର୍କ ବାବଦରେ ମୁଁ କିଛି କହିବାକୁ ଚାହୁଁନି।