ପିପିଲି : ‘ଫନି’ ଉଜାଡ଼ି ଦେଇଛି ପ୍ରଭାକରଙ୍କର ତୁଳସୀ କ୍ଷେତ। ତଥାପି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ପ୍ରତିଦିନ ସେ ପଠାଇ ଚାଲିଛନ୍ତି ତୁଳସୀ ପତ୍ର ଓ ତୁଳସୀ ମାଳ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ପ୍ରଭାକର ମହାପ୍ରଭୁଙ୍କ ସେବାରେ ତୁଳସୀ ମାଳ ଯୋଗାଇ ଆସୁଛନ୍ତି। ବାତ୍ୟା ଯୋଗୁ ତୁଳସୀ ବଗିଚାରେ ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ ସେବା ଜାରି ରଖିଛନ୍ତି ପ୍ରଭାକର। ପ୍ରଭାକର ନିଜର ପ୍ରାୟ ୩ ଏକର ଚାଷ ଜମିରେ ତୁଳସୀ ଗଛ ଲଗାଇଛନ୍ତି। ପିପିଲି ବ୍ଲକ ଦୁର୍ଗାଦାଶପୁର ପଂଚାୟତ ଅନ୍ତର୍ଗତ ଜମାଲପୁର ଗାଁରେ ପ୍ରଭାକରଙ୍କ ଘର। ପ୍ରଭୁ ଶ୍ରୀଜଗନ୍ନାଥ ପିପିଲି ବାଲିଗାଁର ଭକ୍ତ ଦାସିଆଙ୍କ ହାତରୁ ନଡ଼ିଆ ନେଇଥିବାବେଳେ ପ୍ରଭାକର ପ୍ରଭୁଙ୍କୁ ତୁଳସୀ ସେବା ଯୋଗାଇ ପିପିଲିର ମର୍ଯ୍ୟାଦା ବଢାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ପବିତ୍ର ତୁଳସୀ ଗଛ ଚାଷ କରି ସେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ପ୍ରଭାକର ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଏଥିସହ ସ୍ଥାନୀୟ ପ୍ରାୟ ୧୫ ଜଣ ଗରିବ ଲୋକଙ୍କୁ ସେ ଏହି ଚାଷ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଦୈନନ୍ଦିନ ସକାଳୁ ସେ ନିତ୍ୟକର୍ମ ସାରି ତୁଳସୀ ପତ୍ର ସଂଗ୍ରହ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ପଠାଇଥାନ୍ତି। ବର୍ଷା, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ତାଙ୍କୁ ଏହି ସେବା କାର୍ଯ୍ୟକୁ ରୋକି ପାରିନି। ଏପରିକି ୧୯୯୯ ମହାବାତ୍ୟା ଓ ୨୦୦୮ର ମହାବନ୍ୟାରେ ବି ପ୍ରଭାକର ବହୁ ଘାତ ପ୍ରତିଘାତ ସହି ମହାପ୍ରଭୁଙ୍କ ପୂଜା ପାଇଁ ତୁଳସୀ ପଠାଇଛନ୍ତି। ବାତ୍ୟା ‘ଫନି’ରେ ତୁଳସୀ ବଗିଚା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ପ୍ରଭୁଙ୍କ ପାଖକୁ ତୁଳସୀ ପଠାଇବା ବନ୍ଦ କରିନାହାନ୍ତି। ପ୍ରତିଦିନ ଉକ୍ତ ବିଲରୁ ବାଛିବାଛି ତୁଳସୀ ପଠାଉଛନ୍ତି ଜଗନ୍ନାଥଙ୍କ ପରମ ଉପାସକ ପ୍ରଭାକର ନାୟକ।
ଶ୍ରୀଜଗନ୍ନାଥଙ୍କ ତୁଳସୀ ସେବାରେ ପ୍ରଭାକର
/sambad/media/post_attachments/wp-content/uploads/2019/06/tulasi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)