କଟକ : ଚିଟ୍ଫଣ୍ଡ ଲିଙ୍କ୍ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଆଜି ଏସ୍ସିବି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଦିନ ପ୍ରାୟ ସାଢେ ୧ଟା ବେଳେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରୁ ଏସ୍ସିବି ଅଣାଯାଇଥିଲା। ଏଠାରେ ତାଙ୍କୁ ଟ୍ରମା ବିଲ୍ଡିଂର ଆଇସିସିୟୁରେ ରଖାଯାଇଛି।
ପ୍ରଭାତଙ୍କ ଚିକିତ୍ସା ପାଇଁ ମେଡିକାଲ୍ ପକ୍ଷରୁ ୮ଜଣିଆ ଡାକ୍ତର ଟିମ୍ ଗଠନ କରାଯାଇଛି। ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର କୈଳାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି ଡାକ୍ତର ଦଳରେ ନ୍ୟୁରୋସର୍ଜରୀ, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋ ସର୍ଜରୀ, ମେଡିସିନ୍, ଅର୍ଥୋପେଡିକ୍, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ବିଭାଗର ପ୍ରଫେସରମାନେ ରହିଛନ୍ତି। ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଦିନ ୧୧ଟାରେ ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରିବେ। ଶ୍ରୀ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଜଟିଳ ଥିବା ମେଡିକାଲ୍ ପକ୍ଷରୁ ଦର୍ଶାଯାଇଛି। ତାଙ୍କ ମେରୁଦଣ୍ଡରେ ସମସ୍ୟା ଥିବାରୁ ଗୋଡ଼ ଉପରେ ପ୍ରଭାବ ପଡ଼ୁଛି।
ସେହିପରି ଡିପ୍ରେସନ୍ ଯୋଗୁଁ ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନାହିଁ। ମଧୁମେହ ସହିତ ଉଚ୍ଚ ରକ୍ତଚାପ ମଧ୍ୟ ରହିଛି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଆଜି କାର୍ଡିଓଲୋଜି ଡାକ୍ତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ରାତିରେ କିଛି ପରୀକ୍ଷା ହୋଇଯିବା ପରେ ଆସନ୍ତାକାଲିଠୁ ନିୟମିତ ଭାବେ ଡାକ୍ତରମାନେ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋ ସୂଚନା ଦେଇଛନ୍ତି।