ବାଲିଯାତ୍ରା ଉତ୍ସବରେ ଅତିଥି ପ୍ରଭାତ ବିଶ୍ୱାଳ 

କଟକ : କଟକର ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ। ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ର ଏଭଳି ସୂଚନା ଦେଉଛି। ଚିଟ୍‌ଫଣ୍ଡ ମାମଲାରେ ଫସି ବିଧାୟକ ବିଶ୍ୱାଳ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୧୮ ତାରିଖରେ ବିଶ୍ୱାଳ ଗିରଫ ହୋଇଥିବା ବେଳେ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ଏଯାଏ ତାଙ୍କୁ ଅଦାଲତରୁ ଜାମିନ ମିଳିନାହିଁ। ଏଭଳି ସ୍ଥିତିରେ ବିଧାୟକ ବିଶ୍ୱାଳ ବାଲିଯାତ୍ରାର ଉଦଘାଟନୀ ସମାରୋହରେ କିଭଳି ଅତିଥି ହେବେ ବୋଲି ପ୍ରଶ୍ନ ଉଠୁଛି। ସବୁଠୁ ଚକିତ କଲା ଭଳି ପ୍ରସଙ୍ଗ ହେଉଛି, ନିମନ୍ତ୍ରଣପତ୍ରରେ ଲେଖାଯାଇଛି ଯେ ବିଶ୍ୱାଳ ଏବଂ ଅନ୍ୟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଗିରଫ ହୋଇଥିବା ବିଧାୟକ ବିଶ୍ୱାଳଙ୍କଠାରୁ କିଏ ସ୍ୱୀକୃତି ଆଣିଲା, ସିଏ ବି ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବାଲିଯାତ୍ରା ଉଦଘାଟନୀ ଉତ୍ସବକୁ ଆସୁ ନଥିବା ବେଳେ ଚଳିତ ବର୍ଷ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ଓ ଚନ୍ଦ୍ର ସାରଥୀ ବେହେରା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ବୋଲି ସୂଚନା ଦିଆଯାଇଛି। ସେମାନଙ୍କ ସହିତ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ତାଲିକାରେ ରହିଛନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ସାଂସଦ ବୈଜୟନ୍ତ ପଣ୍ଡା, କୁଳମଣି ସାମଲ, ନରେନ୍ଦ୍ର କୁମାର ସ୍ୱାଇଁ, ଅନୁଭବ ମହାନ୍ତି, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ସାମନ୍ତରାୟ, ପ୍ରଭାତରଂଜନ ବିଶ୍ୱାଳ, ପ୍ରମୋଦ କୁମାର ମଲ୍ଲିକ, ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ମେୟର ମୀନାକ୍ଷି ବେହେରା, ଡେପୁଟି ମେୟର ଅଜୟ ବାରିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଓ ସିଏମସି କମିସନର ବିକାଶ ଚନ୍ଦ୍ର ମହାପାତ୍ର। ଆସନ୍ତା ୪ ତାରିଖ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ପୌରହିତ୍ୟ କରିବେ।  ଅତିଥି ତାଲିକାରେ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ନାମ ରହିବା ଘଟଣାକୁ ନେଇ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ବି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଭଳି ହେବା କଥା ନୁହେଁ ବୋଲି ସ୍ୱୀକାର କରିବା ସହିତ ଏହାର ଯାଞ୍ଚ କରିବେ ବୋଲି କହିଛନ୍ତି। କିନ୍ତୁ ଆସନ୍ତାକାଲି ଶ୍ରୀ ବିଶ୍ୱାଳଙ୍କର ହାଇକୋର୍ଟରେ ଜାମିନ ଶୁଣାଣି ଥିବା ବେଳେ ସେ ଜାମିନ ପାଇବେ ବୋଲି ପ୍ରଶାସନ କ’ଣ ଆଗରୁ ଜାଣି ଯାଇଛି କି ବୋଲି ପ୍ରଶ୍ନ ଉଠୁଛି।

ଅନ୍ୟପଟେ ଯେଉଁ ଅଞ୍ଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ସେହି ଅଞ୍ଚଳର ବିଧାୟକଙ୍କ ନାମ ପ୍ରୋଟୋକଲ୍‌ ଅନୁଯାୟୀ ବାହାର ଅଞ୍ଚଳର ବିଧାୟକଙ୍କ ପୂର୍ବରୁ ରହିବାର ନିୟମ ଥିଲେ ବି ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପୂର୍ବରୁ ଦେବୀ ମିଶ୍ର, ପ୍ରଭାତ ତ୍ରିପାଠୀ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନାମ ରହିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର