ସିଏମ୍‌ସି କମିସନରଙ୍କ ଆଚରଣ ନେଇ ବର୍ଷିଲେ ପ୍ରଭାତ ବିଶ୍ବାଳ, ୧୦କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ

କଟକ: କଟକ ନୂଆପଡା ବାଲିସାହି ବସ୍ତି ଓ ଚାଉଳିଆଗଞ୍ଜ ଅଞ୍ଚଳର ବସ୍ତିବାସିନ୍ଦା ପାଇଁ ନିଜ ପୁଅ ତଥା କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ସହ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ୧୦ କିଲୋମିଟର ବାଟ ଚାଲିବାକୁ ପଡ଼ିଛି। ସିଏମ୍‌ସି କମିସନର୍‌ଙ୍କ ସହ ସାକ୍ଷାତ ନହେବାରୁ ଜିଲ୍ଲାପାଳଙ୍କ ସାମ୍‌ନାରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଏପରିକି, କମିସନର୍‌ ଆସନ୍ତାକାଲିଠାରୁ ଚୌଦ୍ବାର ଅଞ୍ଚଳ ନଯିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ଏହି ଘଟଣା ଆଜି ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଦୁଇ ଦିନ ହେଲା ବର୍ଷା ପାଣିରେ ରହି ଆସୁଥିବା ଏହି ବସ୍ତିବାସିନ୍ଦାଙ୍କ ଶୋଚନୀୟ ଅବସ୍ଥା ଆଜି ସବୁ ସୀମା ଟପି ଯାଇଥିଲା। କାଳବୈଶାଖୀରେ ଟେଣ୍ଟ ଭାଙ୍ଗିଯିବା ସହିତ ଖାଦ୍ୟ ସାମଗ୍ରୀ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। କେତେକ ବସ୍ତିବାସିନ୍ଦା ଆହତ ହୋଇଥିଲେ। ଯାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକ ସୌଭିକ ଓ ପ୍ରଭାତ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ସହାୟତା ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ଧାରଣାରତ ଲୋକେ ଜିଲ୍ଲାପାଳ ଓ ସିଏମସି କମିସନରଙ୍କୁ ଭେଟିବାକୁ ଚାହିଁଥିବା ବେଳେ ସେମାନଙ୍କୁ ଶ୍ରୀ ବିଶ୍ବାଳ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ କେହି ନ ଆସିବାରୁ ଦୀର୍ଘ ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରି ଶ୍ରୀ ବିଶ୍ବାଳ ପ୍ରାୟ ଦୁଇ ଶହ ବସ୍ତିବାସିନ୍ଦାଙ୍କ ସହିତ ନୂଆପଡା ବାଲିସାହିରୁ କଲେକ୍ଟୋରେଟ୍ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଚାଲିଚାଲି ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କୁ ଭେଟିଥିଲେ। ସେଠାରେ କିନ୍ତୁ ସିଏମସି କମିସନର ଅନନ୍ୟା ଦାସ ନଥିଲେ। ସିଏମସି କମିସନରଙ୍କ ଏଭଳି ଆଚରଣକୁ ନେଇ ବିଶ୍ବାଳ ବାପ-ପୁଅ ସେଠାରେ ଖୁବ୍ ଗର୍ଜିଥିଲେ।

ସେମାନେ ବସ୍ତିବାସିନ୍ଦାଙ୍କୁ ଥଇଥାନ କାର୍ଯ୍ୟରେ ସହଯୋଗ କରି ସରକାରଙ୍କର ରାସ୍ତା ସଂପ୍ରସାରଣ କାର୍ଯ୍ୟକୁ ସୁରୁଖୁରରେ ଶେଷ କରିବାକୁ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସିଏମସି କମିସନରଙ୍କ ଏଭଳି ଆଚରଣ ସବୁ କିଛି ନଷ୍ଟ କରି ଦେଲା ବୋଲି ଶ୍ରୀ ବିଶ୍ବାଳ ଅଭିଯୋଗ କରିଥିଲେ। ‘ ସିଏ ନିର୍ବାଚନ ଲଢନ୍ତୁ ‘… ‘ ତାଙ୍କୁ କହି ଦିଅନ୍ତୁ, ଆସନ୍ତାକାଲିଠାରୁ ସେ ଆଉ ଚୌଦ୍ବାର-କଟକ ଅଞ୍ଚଳକୁ ନ ଯାଆନ୍ତୁ’ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଲୋକଙ୍କ ସେବାରେ ଥିବା ଅଧିକାରୀ ଲୋକଙ୍କ ସମସ୍ୟା ସମୟରେ ସେମାନଙ୍କ ନିକଟରେ ନ ପହଞ୍ଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଶ୍ବାଳ କହିଥିଲେ। ସୌଭିକ ବିଶ୍ବାଳ ମଧ୍ୟ ଉତ୍ତେଜିତ ହୋଇ ପଡିଥିବା ବେଳେ କରୋନା ଭୟରେ ଲୋକଙ୍କ ସାମନାକୁ ସିଏମସି କମିସନର ଆସୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ହଠାତ୍ କାଳବୈଶାଖୀ ଯୋଗୁଁ ବସ୍ତିବାସିନ୍ଦା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ‌ନିଆଯାଉଛି ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି।

ସମ୍ବନ୍ଧିତ ଖବର