ନଭେମ୍ବର ୨୩କୁ ଘୁଞ୍ଚିଲା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଶୁଣାଣି

ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ତଲବ

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ୨୦୧୭, ନଭେମ୍ବର ୨୩ରେ କରାଯିବ। ଆଜି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ସମୟରେ ଅପ୍‌-ଟୁ-ଡେଟ୍‌ କେସ୍‌ ଡାଏରି ଦାଖଲ ପାଇଁ ଖଣ୍ଡପୀଠ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସିବିଆଇ ତଦନ୍ତର ସାନି ସ୍ଥିତି ସଂପର୍କରେ ସେ ଦିନ ତଥ୍ୟ ଉପସ୍ଥାପନ କରିବ। ଏସସିବିରେ ଚିକିତ୍ସାଧୀନ ଆବେଦନକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଅର୍ଥ ଓ ଜମି କାରବାର ନେଇ ଶ୍ରୀ ବିଶ୍ୱାଳଙ୍କୁ ୨୦୧୭, ସେପ୍ଟେମ୍ବର ୧୮ତାରିଖରେ ସିବିଆଇ ଗିରଫ କରିଥିଲା। ଏହାପରେ ସିବିଆଇ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିଥିଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ସେପ୍ଟେମ୍ବର ୨୩ରେ ଖାରଜ କରିଥିଲେ। ୨୦୧୭, ସେପ୍ଟେମ୍ବର ୨୬ରେ ଖୋର୍ଦ୍ଧା ଦୌରା ଜଜ୍‌ ଅଦାଲତ ତାଙ୍କ ଜାମିନ ନାମଞ୍ଜୁର କରିବା ପରେ ଶ୍ରୀ ବିଶ୍ୱାଳ ଅକ୍ଟୋବର ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ଜାମିନ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର