ଭୁବନେଶ୍ବର : ଚିଟ୍ଫଣ୍ଡ୍ ମାମଲାରେ ଅଭିଯୁକ୍ତ ନେତାଙ୍କୁ ଟିକେଟ୍ ଦେବା ନେଇ ଦ୍ବନ୍ଦ୍ବରେ ପଡ଼ିଥିଲା ବିଜେଡି। ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଏ ନେଇ ଲିଖିତ ଭାବେ ଜଣାଇ ଦେଇଛନ୍ତି। ପ୍ରଭାତଙ୍କର ଏହି ଘୋଷଣାକୁ ବିଜେଡିକୁ ସାମୟିକ ଭାବେ ଆଶ୍ବସ୍ତି ଦେଇଛି। ଏହା ସହ ତାଙ୍କ ପୁଅ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସଭାପତିଙ୍କୁ ଲେଖିଥିବା ଚିଠିରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି, ୨୦୧୪ ନିର୍ବାଚନରେ ବାଙ୍କୀ ନିର୍ବାଚନମଣ୍ଡଳୀରୁ ୪୪ ହଜାର ଭୋଟ୍ରେ ଜିତିଥିଲି। କିନ୍ତୁ ବିଜେପି ପକ୍ଷରୁ ମୋ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର କରାଯାଇ ଚିଟ୍ଫଣ୍ଡ୍ ସ୍କାମ୍ରେ ମୋତେ ଉଦ୍ଦେଶ୍ୟମୂଳକ ଭାବେ ଯୋଡ଼ାଗଲା। ପୁଣି କନ୍ଧମାଳ ଉପନିର୍ବାଚନ ବେଳେ ଏହି ଘଟଣା ଘଟିଲା, ଯାହା ଦ୍ବାରା କି ମୋ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ ବୋଲି ସେମାନେ ଭାବିଥିଲେ। କିନ୍ତୁ ମୁଁ କୌଣସି ଚିଟ୍ଫଣ୍ଡ୍ କମ୍ପାନିର ନିର୍ଦ୍ଦେଶକ କି ଅଂଶୀଦାର ନୁହେଁ। ବାଙ୍କୀ ଉତ୍ସବ ପାଇଁ ଗୋଟିଏ ଟେଲିଫୋନ୍ କଲ୍କୁ ନେଇ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା। ଏହା ଦ୍ବାରା ମୋର ଭାବମୂର୍ତ୍ତିରେ ଆଞ୍ଚ୍ ଆସିଲା। ବିଜେପିର ଏସବୁ ଷଡ଼ଯନ୍ତ୍ର ସଫଳ ହୋଇ ନାହିଁ। ତେବେ ବାଙ୍କୀ ଲୋକଙ୍କ ନିକଟରେ ମୋ ଭାବମୂର୍ତ୍ତି ସେମିତି ସ୍ବଚ୍ଛ ରହିଛି, ଆଉ ସାରା ରାଜ୍ୟରେ ବିଜେଡି ଏବେ ବି ଲୋକପ୍ରିୟ ହୋଇ ରହିଛି। ଅପର ପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୂଲ୍ୟବୋଧ ଭିତ୍ତିକ ରାଜନୀତି ଓ ସାଧାରଣ ଜୀବନରେ ଉଚ୍ଚ ନୈତିକତା ବଜାୟ ରଖିବା ନେଇ ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ତେଣୁ ଦଳର ଜଣେ ସାଧାରଣ ସଦସ୍ୟ ଭାବେ ମୁଁ ଏହାକୁ ସମର୍ଥନ କରୁଛି ଓ ତାଙ୍କ ନିଷ୍ପତ୍ତିରେ ମୁଁ କୌଣସି ବୋଝ ହେବାକୁ ଚାହୁଁ ନାହିଁ। େଯହେତୁ ମୋ ବିରୋଧରେ ବିଜେପି ଦ୍ବାରା ପ୍ରାୟୋଜିତ ମାମଲା ବିଚାରାଧୀନ ଅଛି, ତେଣୁ ଆସନ୍ତା ନିର୍ବାଚନରେ ମୁଁ ପ୍ରତିଦ୍ବନ୍ଦ୍ବିତା କରିବି ନାହିଁ। ତେବେ ଯଦି ଦଳ ମୋର ସେବା ଚାହେଁ, ତେବେ ସାଂଗଠନିକ କାର୍ଯ୍ୟରେ ମୁଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଛନ୍ତି।
ଜେଲ୍ ଯାଇଥିବା ଚିଟ୍ଫଣ୍ଡ୍ ଅଭିଯୁକ୍ତ ନେତାଙ୍କ ମଧ୍ୟରୁ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଦଳ ଟିକେଟ୍ ଦେବ ନାହିଁ ବୋଲି ଆପାତତଃ ସ୍ଥିର ହୋଇଛି। ଏବେ ପ୍ରଭାତ ତ୍ରିପାଠୀ ଓହରିଯାଇଥିଲା ବେଳେ ଅନ୍ୟତମ ବିଧାୟକ ପ୍ରଭାତ ବିଶ୍ବାଳ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।