ପ୍ରୟାଗ ଗ୍ରୁପ୍‌ ମୁଖ୍ୟ ଓ ନିର୍ଦ୍ଦେଶକଙ୍କୁ ଜାମିନ : ୧ କୋଟି ଟଙ୍କା ଜମା କରିବେ

କଟକ : ଅର୍ଥ ଲଗାଣକାରୀ ସଂସ୍ଥା ପ୍ରୟାଗ ଗ୍ରୁପ୍‌ର ମୁଖ୍ୟ ବାସୁଦେବ ବାଗ୍‌ଚୀ ଓ ତାଙ୍କ ପୁଅ ତଥା ସଂସ୍ଥାର ନିର୍ଦ୍ଦେଶକ ଅଭିକ ବାଗଚୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ନିମ୍ନ ଅଦାଲତରେ ୧ କୋଟି ଟଙ୍କା ଜମା କରି ଆବେଦନକାରୀ ଜାମିନରେ ଯାଇ ପାରିବେ ବୋଲି ସର୍ତ୍ତାରୋପ କରାଯାଇଛି।

ସୂଚନା ଯୋଗ୍ୟ ଯେ ୨୦୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଅନ୍ୟ ଚିଟଫଣ୍ଡ ସଂସ୍ଥା ସହିତ ପ୍ରୟାଗ ଗ୍ରୁପ୍‌ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଅଧିକ ସୁଧ ସହିତ ଜମାଟଙ୍କା ଫେରାଇବାକୁ  ପ୍ରତିଶ୍ରୁତି ଦେଇ ପ୍ରୟାଗ ଗ୍ରୁପ୍‌ ଅଢେଇ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରି ଆଉ ଧରା ଛଆଁ ଦେଇ ନଥିଲା। ୨୦୧୭, ମେ’ ୧୫ରେ ବାସୁଦେବ ଓ ଅଭିକଙ୍କୁ ସିବିଆଇ ଗିରଫ କରିଥିଲା। ତଦନ୍ତ ପରେ ଉଭୟଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା। ଇତି ମଧ୍ୟରେ ସଂସ୍ଥା ପକ୍ଷରୁ କେତେକ ଜମାକରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସୁରେଶ ତ୍ରିପାଠୀ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ବିଲ୍ଡର ପ୍ରେମାନନ୍ଦ ମହାପାତ୍ରଙ୍କୁ ଅନ୍ତରୀଣ ଜାମିନ

କଟକ : ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଜମାକାରୀଙ୍କୁ ଜାଗା ସହ ଫ୍ଲାଟ ଯୋଗାଇଦେବା ଆଳରେ କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବିଲ୍‌ଡର ପ୍ରେମାନନ୍ଦ ମହାପାତ୍ରଙ୍କୁ ହାଇକୋର୍ଟ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀ ମହାପାତ୍ର ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଶ୍ରୀ ମହାପାତ୍ରଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଜମାକାରୀଙ୍କୁ ଠକି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗୋଲଡେନ ଭିୟୁ ଇନଫ୍ରାଷ୍ଟକଚର ଲିଲିଟେଡ ମୁଖ୍ୟ ପ୍ରେମାନନ୍ଦଙ୍କୁ ଗିରଫ କରିଥିଲା। ୨୦୧୪ ମସିହାରେ ତମାଣ୍ଡୋ ଅଞ୍ଚଳରେ ଫ୍ଲାଟ ଯୋଗାଇଦେବା ପାଇଁ ପ୍ରତିଶ୍ରୃତି ଦେଇ ଏହି ସଂସ୍ଥା ଜମାକରୀଙ୍କ ନିକଟରୁ ୪ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର