ଆସନ୍ତାକାଲି ବାଜପେୟୀଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି, ପ୍ରାର୍ଥନା ସଭାକୁ ଯିବେ ନବୀନ

ଭୁବନେଶ୍ୱର: ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶୁକ୍ରବାର ଶ୍ରଦ୍ଧାଞ୍ଜଳି ଦିଆଯିବ। ଏଥି ପାଇଁ ରାଜଧାନୀ ଭୁବନେଶ୍ୱରସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ଯୋରଦାର ଚାଲିଛି। ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ବିଜୁ ଜନତା ଦଳ ସମେତ ଓଡ଼ିଶାର ଅନ୍ୟ ଦଳକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥନା ସଭାକୁ ଯିବେ ବୋଲି ଜଣାପଡ଼ିଛି।

ଅଗଷ୍ଟ ୨୪ରେ ବାଜପେୟୀଙ୍କ ଉଦ୍ଦେଶ୍ୟରେ ସର୍ବଦଳୀୟ ସଭା ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ, ବିଧାୟକ, ସାଂସଦ, ଅନ୍ୟ ଦଳର ନେତାଙ୍କୁ ମଧ୍ୟ ବିଜେପି ତରଫରୁ ନିମନ୍ତ୍ରଣ କରାଯାଇଛି ବୋଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଗୁରୁବାର ସନ୍ଧ୍ୟାରେ ପୁରୀ ମହୋଦଧିରେ ବିସର୍ଜନ ହୋଇଛି। ବିଧି ଅନୁସାରେ ଶ୍ରାଦ୍ଧ ଅର୍ପଣ ଓ ପୂଜାର୍ଚ୍ଚନା କରାଯିବା ପରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଚିତାଭସ୍ମକୁ ମହୋଦଧିରେ ବିସର୍ଜନ କରାଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନୂଆଦିଲ୍ଲୀ ଅଶୋକା ରୋଡ଼ଠାରେ ଅନୁଷ୍ଠିତ ଏକ ସମାରେହରେ ବୁଧବାର ଏହି ଅସ୍ଥି କଳସ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ। ଅଟଳଙ୍କ ଅସ୍ଥି କଳସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଥିଲା।

ସମ୍ବନ୍ଧିତ ଖବର