ରକ୍ତ ପାଇଁ ମା’ ସମଲେଶ୍ବରୀ ମନ୍ଦିରରେ ଫେରାଦ

ବରଗଡ଼: ରକ୍ତ ନମିଳିବାରୁ ମା’ ସମଲେଶ୍ବରୀ ମନ୍ଦିରରେ ଫେରାଦ ହେବା ଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବରଗଡ଼ରେ। ଏହି ଘଟଣା ଜଣାପଡ଼ିବା ପରେ ଘଣ୍ଟାଏ ଭିତରେ ଜଣେ ରକ୍ତଦାତା ରକ୍ତଦାନ କରି ଜୀବନ ବଂଚାଇଲେ। ପ୍ରକାଶ ଯେ ଅମ୍ବାଭୋନା ଚିଚଲି ଅଞ୍ଚଳର ଭୁବନେଶ୍ୱରୀ ସୁନା ଏକ ନବଜାତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତାଙ୍କ ଶରୀରରେ ହିମୋଗ୍ଲୋବିନ ପରିମାଣ ୬ଗ୍ରାମ ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ୩ୟୁନିଟ ରକ୍ତ ଦେବାକୁ ବିଭାଗୀୟ ଡାକ୍ତର ପରାମର୍ଶ ଦେଇଥିଲେ। ଏପଟେ ତାଙ୍କର ରକ୍ତ ବର୍ଗ ‘ଏ’ ନେଗେଟିଭ ହୋଇଥିବାରୁ ଚାରିଆଡ଼େ ଖୋଜା ଖୋଜି କରି ସାରିଲା ପରେ ମଧ୍ୟ ଗୋଟିଏ ୟୁନିଟ ରକ୍ତ ଯୋଗାଡ଼ ହୋଇ ପାରିନଥିଲା। ଶେଷରେ ମା’ ସମଲେଶ୍ବେରୀ ମନ୍ଦିର ପ୍ରାଙ୍ଗଣରେ ସାଷ୍ଟାଙ୍ଗ ଦଣ୍ଡବତ ହୋଇ ମା’ଙ୍କୁ ଗୁହାରି କରିଥିଲେ ଭୁବନେଶ୍ବରୀଙ୍କ ସ୍ୱାମୀ ଜନ୍ମେଜୟ ସୁନା। ଏନେଇ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ୱାର୍ଡ ନମ୍ବର-୧ର ବାସିନ୍ଦା ପ୍ରମୋଦ ସେଠ ରକ୍ତଭଣ୍ଡାରକୁ ଆସି ରକ୍ତଦାନ କରିଥିଲେ। ସଂକଳ୍ପ ପରିବାର ପକ୍ଷରୁ ଏହି ପ୍ରକ୍ରିୟା ଚାଲିଥିଲା।

ସମ୍ବନ୍ଧିତ ଖବର