ଗ୍ଲୋବାଲ ଟେଣ୍ଡର ପାଇଁ ୧୯ରେ ପ୍ରିବିଡ ଆଲୋଚନା, ରାଜ୍ୟ ସରକାର କିଣିବେ ୩କୋଟି ୮୦ ଲକ୍ଷ ଟିକା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଏଥିରେ ଜନସାଧାରଣ ସହଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

କୋଭିଡ ସଚେତନା ମୂଳକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଗତ କିଛି ଦିନ ପୂର୍ବରୁ ରାଜ୍ୟ କ୍ୟାବିନେଟରେ କରୋନା ଟିକା ନେଇ ଗ୍ଲୋବାଲ ଟେଣ୍ଡର ପାଇଁ ଅନୁମୋଦନ କରାଯାଇଥିଲା । ଏହାରି ମାଧ୍ୟମରେ ଆମେ ଯଥା ସମ୍ଭବ ରାଜ୍ୟବାସୀଙ୍କୁ ଟିକା ଯୋଗାଇ ଦେଇପାରିବା ଏବଂ ଲୋକଙ୍କର ଜୀବନ ବଂଚାଇ ପାରିବା । ଗତକାଲି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି । ଓଡ଼ିଶା ମେଡିକାଲ କର୍ପୋରେସନ ତରଫରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ୧୯ ତାରିଖରେ ପ୍ରିବିଡି ପାଇଁ ଆଲୋଚନା ହେବ । ୨୮ ତାରିଖ ସୁଦ୍ଧା କଂପାନିମାନେ ଟେଣ୍ଡରରେ ସାମିଲ ହେବେ । ଯେତେ ଶୀଘ୍ର ସମ୍ଭବ ୩କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଛି । ୪ ମାସ ଭିତରେ ଏହି ଟିକା କିଣାଯିବ । କମ ସମୟ ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଡାକିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କରୋନାର ଆଗାମୀ ଲହର ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଥି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି କମିଟିରେ ଜଣାଶୁଣା ବୈଜ୍ଞାନିକ ଓ ଡାକ୍ତର ଅଛନ୍ତି । ଖୁବ ଶୀଘ୍ର ଟିକାକରଣ କେମିତି ହୋଇପାରିବ, ଏହି କମିଟି ତାହା ପରାମର୍ଶ ଦେବ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ କମିଟିରେ ରହିବେ । ହସ୍‌ପିଟାଲରେ କେମିତି ଭିତ୍ତିଭୂମି ବିକାଶ କରାଯିବ, ସେ ନେଇ କମିଟି ନିଷ୍ପତ୍ତି ନେବ । ଛୋଟ ପିଲାମାନଙ୍କର ପାଇଁ ଭିତ୍ତିଭୂମି ପାଇଁ ଏହି କମିଟି ପରାମର୍ଶ ଦେବ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସାରା ରାଜ୍ୟକୁ ଲକଡାଉନ କରାଯାଇଛି । ଗତ ୫ ତାରିଖ ଠାରୁ ଆମେ ଏପର୍ଯ୍ୟନ୍ତ ଲକଡାଉନ ସ୍ଥିତିରେ ଅଛୁ । ପ୍ରତ୍ୟେକ ଜିଲ୍ଲାରେ କୋଭିଡ ସଂକମ୍ରଣ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ଗତ ୨ ସପ୍ତାହ ମଧ୍ୟରେ ୧୦ଟି ଜିଲ୍ଲାରେ ସଂକ୍ରମଣ ସମାନ ସ୍ତରରେ ଅଛି । କିଛି ଜିଲ୍ଲାରେ ଧୀରେ ଧୀରେ ହ୍ରାସ ପାଉଛି । ପଶ୍ଚିମାଂଚଳ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଭଦ୍ରକ, ଝାରସୁଗୁଡ଼ା, ନବରଂଗପୁର, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଆଦି ଜିଲ୍ଲାରେ ସମାନ ଅଥବା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ୧୦ ଦିନ ଲକଡାଉନ ହେବା ପରେ ବି ଦୈନିକ ୧୦ରୁ ୧୨ ହଜାର ମଧ୍ୟରେ ରହୁଛି । ଏହାର ଅର୍ଥ ନାହିଁ ଯେ, ଆମେ ହାଲୁକା ଭାବରେ ନେବା ।

ମୁଖ୍ୟମନ୍ତ୍ରୀ ଅନେକ ଥର ଅନୁରୋଧ କରିଛନ୍ତି ଯେ, କୋଭିଡ ନିୟମ ପାଳନ କରନ୍ତୁ । ଯେତେବେଳେ ବାହାରକୁ ଯାଉଛନ୍ତି ସେହି ସମୟରେ ମୁହଁ ଓ ନାକକୁ ଘୋଡେଇ ରଖିବା ପାଇଁ ମାସ୍କ ପିନ୍ଧନ୍ତୁ । ଆଶା କରୁଛି ଓଡ଼ିଶାର ଜନସାଧାରଣ ରାଜ୍ୟ ସରକାରଙ୍କୁ ସହଯୋଗ କରିବେ । ତା’ହେଲେ ଭବିଷ୍ୟତରେ ଆମେ କୋଭିଡ ସଂକ୍ରମଣକୁ ଏଡେଇ ଦେଇପାରିବା ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତବର୍ଷ ଯେତେବେଳେ କୋଭିଡ ପିକ୍‌ ସ୍ତରରେ ଥିଲା, ସେହି ସମୟରେ ପ୍ରାୟ ୮ ହଜାର ଆକ୍ରାନ୍ତ କୋଭିଡ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ଏବେ ଏହି ସଂଖ୍ୟା ଏବେ ପ୍ରାୟ ୧୫ ହଜାରରେ ପହଂଚିଛି । ତେଣୁ କୋଭିଡ ସମୟରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଛନ୍ତି, ତାହାକୁ ପାଳନ କରନ୍ତୁ । ବାହାରକୁ କମ ଯିବା ଆସିବା କରନ୍ତୁ । ଘର ଭିତରେ ବୁଲାବୁଲି କରନ୍ତୁ । ଛାତ ଉପରେ ଯାଇ ବୁଲନ୍ତୁ । ବାହାର ଲୋକଙ୍କ ସହିତ ମିଳାମିଶା କମ କଲେ କୋଭିଡ ନିୟନ୍ତ୍ରଣ ହୋଇପାରିବ । ଗତ ବର୍ଷ ଆମେ କେରାନା ଯୁଦ୍ଧରେ ଲଢ଼େଇ କରି କମ ଦିନ ମଧ୍ୟରେ ନିୟନ୍ତ୍ରଣ କରିପାରିଥିଲେ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର