ବଲାଙ୍ଗୀର: ‌ଷୋଡ଼ଶ ବିଧାନସଭା ଅଧିବେଶନ ସରୁସରୁ ବଲାଙ୍ଗୀରରେ ନିର୍ବାଚନୀ ରଙ୍ଗ ଦେଖିବାକୁ ମିଳିଛି। ବିଜେଡି-କଂଗ୍ରେସ ମଧ୍ୟରେ ଏବେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ବିଜେଡି ନେତୃବର୍ଗ ବିଧାୟକ ନରସିଂହ ମିଶ୍ରଙ୍କୁ ଘେରିଛନ୍ତି। ଅନ୍ୟପକ୍ଷରେ, ରାଜପରିବାରକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ଉଭୟ ଦଳ ନିଜ ନିଜ ଅମଳରେ ଗଢ଼ି ଉଠିଥିବା ପ୍ରକଳ୍ପ ନେଇ ହିସାବ ରଖିଛନ୍ତି। ଏହାସହ ଅନ୍ୟର ବିଫଳତାର ତାଲିକା ମଧ୍ୟ ସାମ୍‌ନାକୁ ଆଣିଛନ୍ତି। ମଙ୍ଗଳବାର ଦିନ ଏଠାରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍‌ କରି ଦଳପକ୍ଷରୁ କୁହାଯାଇଥିଲା ‌ଯେ ବଲାଙ୍ଗୀରରେ ବିଜେଡିର ବିକାଶ ଦେଖି ବିରୋଧୀ ଛାନିଆ। ଗତ ୨୫ ବର୍ଷ ହେଲା ନବୀନ ସରକାର ବଲାଙ୍ଗୀରକୁ ବିଶେଷ ଧ୍ୟାନ ଦେଇଥିବାବେଳେ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ ହୋଇଛି। ଲୋୟର ସୁକତେଲ, ମେଡିକାଲ କଲେଜ ଓ ହସ୍ପିଟାଲ, ଏମ୍‌ସିଏଚ୍‌ ବିଲ୍ଡିଂ, ଇନ୍‌ଡୋର ଷ୍ଟାଡିଅମ, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ତେଲନଦୀ ପାନୀୟ ଜଳ ପ୍ରକଳ୍ପ, ବାଇପାସ୍‌ ରୋଡ, ବ୍ରିଜ୍‌ ସମେତ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତୀକରଣ ଏଥିରେ ସାମିଲ୍‌ ରହିଛି। କଳିକେଶ ସାଂସଦ ଓ ଅନଙ୍ଗ ବିଧାୟକ ଥିବା ସମୟରେ ପ୍ରସ୍ତାବ ଦିଆଯାଇଥିବା ମେଡିକାଲ୍‌ କଲେଜ୍‌, ପିଆର୍‌ ହାଇସ୍କୁଲ ଇନ୍‌ଡୋର୍‌ ଷ୍ଟାଡିୟମ, ଏନ୍‌ଏଚ୍‌ ବାଇପାସ୍‌, ଏମ୍‌ସିଏଚ୍‌ କୋଠା ଆଜି ସାକାର ହୋଇଛି। ବସ୍‌ ଟର୍ମିନାଲ୍‌, ସ୍ମାର୍ଟପାର୍କ ଓ ଭୀମ ଡୁଙ୍ଗୁରିର ଆଧୁନିକୀକରଣ ଦେଖି ବିରୋଧୀ ଛାନିଆ ହେଉଛନ୍ତି। କିନ୍ତୁ, ସେତିକିବେଳେ କୌଣସି ପଦପଦବୀରେ ନଥିବା ନରସିଂହ ମିଶ୍ର କେବଳ ବ୍ୟାନର୍‌ ଲଗାଇ ଏହିସବୁ ଉନ୍ନତିମୂଳକ କାର୍ଯ୍ୟର ଶ୍ରେୟ ନେବାପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ମେହେର, ପ୍ରଦ୍ୟୁତ ମିଶ୍ର, ଯୁବ ସଭାପତି ରାଜେନ୍ଦ୍ର ହୋତା, ମହିଳା ସଭାପତି ଦମୟନ୍ତୀ ବାଗ, ଛାତ୍ର ସଭାପତି ସୁମନ ନନ୍ଦ କହିଥିଲେ।

Advertisment

ବିକାଶ ଦେଖି ବିରୋଧୀ ଛାନିଆ: ବିଜେଡି
ରାଜପରିବାର କହିଥିବା ପ୍ରକଳ୍ପ କେଉଁଠି : କଂଗ୍ରେସ

ଅପରପକ୍ଷରେ, ଏହାର ଜବାବ ରଖିଥିଲା କଂଗ୍ରେସ। ୨୦୧୪ ପରେ ବଲାଙ୍ଗୀରର ଅଭୂତପୂର୍ବ ବିକାଶ ଦେଖି ସ୍ଥାନୀୟ ବିଜେଡି ନେତୃବୃନ୍ଦ ଏତେ ଈର୍ଷାନ୍ୱିତ କାହିଁକି ବୋଲି ଏଆଇସିସି ସଦସ୍ୟ ତଥା ଯୁବନେତା ସମରେନ୍ଦ୍ର ମିଶ୍ର ପ୍ରେସ ବିବୃତି ମାଧ୍ୟମରେ ପ୍ରଶ୍ନ କରିଥିଲେ। ସେ ଦର୍ଶାଇଥିଲେ, ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଥିବା ବିକାଶମୂଳକ କାର୍ଯ୍ୟ ଦେଖି ରାଜପରିବାର ନିର୍ବାଚନ ପୂର୍ବରୁ ଡରିଗଲେଣି। ରାଜପରିବାରର ସଦସ୍ୟ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ପଦରେ ଥିଲେ। କିନ୍ତୁ, ୨୦୧୪ ପରେ ହିଁ ବଲାଙ୍ଗୀରର ଆଖିଦୃଶିଆ ବିକାଶ ହୋଇଛି। ଯେଉଁମାନେ ଖେଳପଡ଼ିଆର ଉନ୍ନତୀକରଣ କଥା କହୁଛନ୍ତି, ସେମାନେ ତିନିଦଶନ୍ଧି ଧରି ଆର୍‌ଏନ୍‌ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କାହିଁ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ତାହାର ଉତ୍ତର ଦିଅନ୍ତୁ ବୋଲି ସମରେନ୍ଦ୍ର ଆହ୍ବାନ ଦେଇଥିଲେ। ଏଥିସହିତ, ଭୀମଡୁଙ୍ଗୁରିରେ ପୂର୍ବତନ ସାଂସଦ କାହିଁକି ସରକାରୀ ଅଧିକାରୀଙ୍କ ଅନୁପସ୍ଥିତିରେ ତାଲା ଦିଆ ଡଙ୍ଗାରେ ବସି ଫଟୋ ଛାଡ଼ିଲେ? ରାଜପରିବାର ବଖାଣି ଥିବା ବସ୍‌ଷ୍ଟପ୍‌, ୱାଟର୍‌ ଏଟିଏମ୍‌, ତୁଷୁରାରେ ପାଇଲଟ୍‌ ଟ୍ରେନିଂ ସେଣ୍ଟର ଆଜି କେଉଁଠି ବୋଲି ସମରେନ୍ଦ୍ର ପ୍ରଶ୍ନ କରିଥିଲେ। ରାଜ ପରିବାରର ଦୂରଦର୍ଶିତାର ଅଭାବ ଓ ଅପାରଗତା ଯୋଗୁଁ ବଲାଙ୍ଗୀର ଅବିକଶିତ ହୋଇ ରହିଥିଲା। ବିଗତ ୧୦ ବର୍ଷରେ ବିଧାୟକଙ୍କ ପ୍ରଚେଷ୍ଟା ବଳରେ ବଲାଙ୍ଗୀରର ସର୍ବାଙ୍ଗୀନ ଉନ୍ନତି ହୋଇଥିବା ସେ ବିବୃତିରେ କହିଛନ୍ତି। ଏହିପରି ଭାବେ ଦୁଇଦଳ ମୁହଁାମୁହିଁ ହେବା ବଲାଙ୍ଗୀର ରାଜନୀତିରେ ପ୍ରାକ୍‌ ନିର୍ବାଚନୀ ଝଡ଼ ସଦୃଶ ହୋଇଛି।