ଗୋପାଳପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଉପରେ ଏବେ ସମସ୍ତଙ୍କ ନଜର। ଏହି ନିର୍ବାଚନମଣ୍ଡଳୀର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ସେହି ପ୍ରଶ୍ନ କେବଳ ଦଳ କିମ୍ବା ବିରୋଧୀ ଦଳ ମଧ୍ୟରେ ନାହିଁ ବରଂ ସାଧାରଣ ଭୋଟରଙ୍କ ମନରେ ବି ଉଙ୍କି ମାରୁଛି। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଜନବିରୋଧୀ ଆଖ୍ୟା ଦେଇ ବିଜେଡି ବହିଷ୍କାର କରିଥିଲା। ‌ଢେର୍‌ ଦିନ ଯାଏ ନିର୍ବାଚନମଣ୍ଡଳୀରେ ଶ୍ରୀ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳିନଥିଲା। ଏଭଳିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ବି ବିଧାୟକ ନିଜକୁ ଦୂରେଇ ରଖିଥିଲେ। ମାତ୍ର ସଂପ୍ରତି ସେ ସକ୍ରିୟ ହୋଇ ଉଠିବା ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରିଥିବା ଦେଖିବାକୁ ମିଳୁଛି। ନିର୍ବାଚନମଣ୍ଡଳୀର କିଛି କିଛି ସ୍ଥାନରେ ତାଙ୍କୁ ସମର୍ଥନ ବି ମିଳୁଛି।

Advertisment

୨୦୨୪ ସାଧାରଣ ନିର୍ବାଚନ ଯେତେ ନିକଟ ହୋଇ ଆସୁଛି ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୈତିକ ଉଷ୍ମତା ସେହି ଅନୁସାରେ ବଢ଼ିବାରେ ଲାଗିଛି। ଶାସକ ବିଜେଡିରୁ ଟିକଟ ପାଇଁ ବହୁ ଆଶାୟୀ ଅଛନ୍ତି।ଏମିତି ସମୟରେ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାରାୟଣପୁର ଗ୍ରାମରେ ଚାଲିଥିବା ଯଜ୍ଞସ୍ଥଳ ଏବଂ ଗୋପାଳପୁରରେ ଚାଲିଥିବା ୨୪ ପ୍ରହର ନାମଯଜ୍ଞକୁ ଗସ୍ତ ରାଜନୈତିକସ୍ତରରେ ଆଲୋଚନାକୁ ଖୋରାକ୍‌ ଯୋଗାଇଛି। ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ଶ୍ରୀ ମହାପାତ୍ରଙ୍କର ଦେଖାଦର୍ଶନ ମିଳୁନଥିଲା। ମାତ୍ର ଏବେ ସେ ନିୟମିତ ବ୍ୟବଧାନରେ ବ୍ରହ୍ମପୁର ଓ ଗୋପାଳପୁରକୁ ଆସୁଛନ୍ତି। କେତେବେଳେ ସାମାଜିକ କାର୍ଯ୍ୟକ୍ରମ ନାରେ ସାମିଲ ହେଉଛନ୍ତି, ତ ପୁଣି କେତେବେଳେ ଯଜ୍ଞସ୍ଥଳ ଓ ନାମଯଜ୍ଞକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ବେଳେ ବି ସେ ଆସି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ପ୍ରକାଶ ଥାଉକି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ଏବେ ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୈତିକ କାରବାର ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ ସମ୍ଭାଳୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଏଠାରେ ବେଶ୍ ସଫଳତା ବି ପାଇଛି। ଆସନ୍ତା ନିର୍ବାଚନରେ ଡ. ଦାସ ବିଜେଡିରୁ ପ୍ରାର୍ଥୀ ହେବା ଥୟ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ତେବେ, ବିଜେଡି ଶୀର୍ଷସ୍ତରରୁ ଏଯାଏ କିଛି ବି ସ୍ପଷ୍ଟ କରାଯାଇନାହିଁ। ଏହି ଆସନଟି ସାଧାରଣ ବର୍ଗଙ୍କ ପାଇଁ ରହିଥିବା ଯୋଗୁଁ ଦଳର କିଛି ଟାଣୁଆ ନେତା ବି ଏହି ଆସନ ଉପରେ ନଜର ରଖିଛନ୍ତି। ପୂର୍ବତନ ସାଂସଦ ଶ୍ରୀ ମହାପାତ୍ର ଦୁଇ ଥର ଆସିଥିବା ବେଳେ ସେହି ସମୟରେ ଗୋପବନ୍ଧୁ ଦାସ ଅନୁପସ୍ଥିତ ରହିବା ଭିନ୍ନ ଏକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିଛି। ଶ୍ରୀ ମହାପାତ୍ରଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଆସିଥିଲେ। ଶ୍ରୀ ମହାପାତ୍ରଙ୍କୁ ଦଳ ଗୋପାଳପୁର ଆସନରୁ ପ୍ରାର୍ଥୀ କରିବ ନା ଗୋପବନ୍ଧୁ ଦାସଙ୍କ ଶକ୍ତି ବୃଦ୍ଧି ପାଇଁ ତାଙ୍କୁ ନିୟୋଜିତ କରାଯାଇଛି, ଏହି ପ୍ରଶ୍ନଟି ଏବେ ଅସମାହିତ ରହିଛି।

ରାଜନୈତିକ ଦୃଷ୍ଟିକୋଣରୁ ଏହି ଆସନଟି ବିଜେଡି ପାଇଁ ଅତ୍ୟନ୍ତ ସ‌ମ୍ବେଦନଶୀଳ ତଥା ସ୍ବାଭିମାନର ପ୍ରଶ୍ନ। କାରଣ ଏବେ ବି ବିଧାୟକ ପ୍ରଦୀପଙ୍କ ସମର୍ଥନରେ ବିଜେଡିର କିଛି ଅସନ୍ତୁଷ୍ଟ ଦଳୀୟ ନେତା ଓ କର୍ମୀ ଅଛନ୍ତି। ଏଣୁ ପ୍ରାର୍ଥୀ ଚୟନ ପୂର୍ବରୁ ବିଜେଡି ସବୁ ପ୍ରକାର ସାବଧାନତା ରକ୍ଷା କରୁଛି।