ରେମୁଣାରେ ପୁଣି ପ୍ରାକ୍‌ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀ ଆହତ, ସହଯୋଗୀ ଗୁରୁତର

ବାଲେଶ୍ବର : ରେମୁଣା ଥାନା ଅଞ୍ଚଳରେ ପୁଣିଥରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଥିବା ଜଣାଯାଇଛି। ତେନ୍ତୁଳଦା ପଞ୍ଚାୟତ ପୁରୁଖୀ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। ଏଥିରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ସହ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଦ୍ବି ପ୍ରହର ସମୟରେ ତେନ୍ତୁଳଦା ପଞ୍ଚାୟତରେ ଅନ୍ୟ ଏକ ରାଜନୈତିକ ଦଳର ଗୋଷ୍ଠୀ ନିର୍ବାଚନୀ ସଭା କରୁଥିବା ସମୟରେ ସେହିପଟେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସଞ୍ଜିବ କୁମାର କର ତାଙ୍କ ସହଯୋଗୀ ଅକ୍ଷୟ ବିଶ୍ବାଳଙ୍କ ସହ ଯାଉଥିଲେ। ତେବେ ତାଙ୍କୁ ସମ୍ପୃକ୍ତ ଗୋଷ୍ଠୀ ସେଠାରେ ଅଟକାଇ ତାଙ୍କ ବେକରେ ଦଳୀୟ ଉତ୍ତରୀୟ ପକାଇବାକୁ ଚେଷ୍ଟା କରିଥିଲେ। ଶ୍ରୀ କର ଓ ତାଙ୍କ ସହଯୋଗୀ ଶ୍ରୀ ବିଶ୍ବାଳ ପ୍ରତିବାଦ କରିବାରୁ ଉକ୍ତ ଗୋଷ୍ଠୀ ଦୁହିଁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଶ୍ରୀ କରଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ଶ୍ରୀ ବିଶ୍ବାଳ ଗୁରୁତର ଆହତ ହୋଇଛନ୍ତି। ଅପରଗୋଷ୍ଠୀଙ୍କ ପକ୍ଷରୁ କେହି ତାଙ୍କ ମୁଣ୍ଡ ଉପରେ ଆକ୍ରମଣ କରିଥିବାରୁ ଗଭୀର ଆଘାତ ଲାଗିଛି। ଏହାପରେ ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ରେମୁଣା ସିଏଚ୍‌ସିକୁ ଆଣିଥିଲେ। ଏବେ ଦୁହେଁ ଚିକିତ୍ସାଧୀନ ଥିବା ବେଳେ ତେନ୍ତୁଳଦା ପଞ୍ଚାୟତରେ ଉଭୟଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଲାଗିରହିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି।

ସୂଚନା ଥାଉକି, ଗତ ସପ୍ତାହରେ ରେମୁଣା ଥାନା କଲ୍ୟାଣପୁର ପଞ୍ଚାୟତରେ ପ୍ରଥମ ପ୍ରାକ୍‌ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ବିଜେଡିର ଜଣେ ସକ୍ରିୟ କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ଏବେବି ଗୁରୁତର ଅବସ୍ଥାରେ ସମ୍ପୃକ୍ତ କର୍ମୀଜଣକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର