ରାଜ୍ୟରେ ଆରମ୍ଭ ହେଲା ପ୍ରାକ୍‌ ମୌସୁମୀ ବର୍ଷା! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ହୋଇ ଉତ୍ତର ପୂର୍ବ ବଙ୍ଗୋପସାଗର ଉପର ଦେଇ ଓଡ଼ିଶା ଆଡ଼େ ମୁହାଁଇଛି। ୧୭ ତାରଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ ୧୮ ତାରିଖ ରାତି ସୁଦ୍ଧା ଉପକୂଳ ଓଡ଼ିଶାରେ ପହଞ୍ଚି ମୌସୁମୀ ବର୍ଷା କରାଇବ ବୋଲି ରାଜ୍ୟର ପାଣିପାଗ ବିଶାରଦବିତ୍‌ମାନେ ପୂର୍ବାନୁମାନ କରିଛନ୍ତି।

ତେବେ, ଏପରିସ୍ଥିତିରେ ରାଜ୍ୟରେ ଗତ ରାତି ଠାରୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ବହୁ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି। କଟକରେ ଆଜି ପ୍ରତ୍ୟୁଷରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ପ୍ରାକ୍‌ ମୌସୁମୀ ବର୍ଷା ଲାଗି ରହିବା ଫଳରେ କଟକବାସୀ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇଥିବା ଆମ କଟକ ପ୍ରତିନିଧି ଜଣାଇଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ଲାଗି ରହିଥିଲା।

SkyMate Weather

ଅନ୍ୟ ପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ଣରେ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ଲାଗି ରହିବ। ଏପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ଏହି ସମସ୍ତ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ସହ ବଜ୍ରପାତ ସହ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର