ଭୁବନେଶ୍ବର : ମୌସୁମୀ ଆଗୁଆ ଆସିବ। ପ୍ରାକ୍ ମୌସୁମୀ ବର୍ଷାରେ ଓଡ଼ିଶା ଭିଜିବ।
ଚଳିତବର୍ଷ ଲାଗି ଏମିତି ଯେତେସବୁ ପୂର୍ବାନୁମାନ କରାଯାଇଥିଲା, ସାଂପ୍ରତିକ ପାଣିପାଗ ଚିତ୍ର ଏସବୁକୁ ଭୁଲ୍ ପ୍ରମାଣିତ କରିଦେଇଛି। ବାୟୁମଣ୍ଡଳରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ମୌସୁମୀ ଓଡ଼ିଶା ଛୁଇଁବା ତ ଦୂରର କଥା ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ବି ହଜିଗଲାଣି। ପାଣିପାଗରେ ଏଭଳି ବଡ଼ ପରିବର୍ତ୍ତନ ଜାଣି ବି ରାଜ୍ୟ ସରକାର ନିଧଡ଼କ ବସିଥିବା ବେଳେ ପରିବେଶ ଓ ପାଣିପାଗ ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବହୁଗୁଣିତ ହୋଇଯାଇଛି।
ଯେଉଁ ସାଂଘାତିକ ରିପୋର୍ଟଟି ଏବେ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି, ତାହା ହେଲା ଚଳିତବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ସ୍ବାଭାବିକ ଠାରୁ ୨୯% କମ୍ ବର୍ଷା ରେକର୍ଡ ହୋଇଥିଲା। ଏବେ ଜୁନ୍ ଆରମ୍ଭରୁ ବର୍ଷା ସୁଧାର ଆସିବା ବଦଳରେ ବିଗିଡିଯାଇଛି। ଜୁନ୍ ପହିଲାରୁ ୭ ତାରିଖ ଅର୍ଥାତ୍ ଆଜି ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାର ପାଣିପାଗ ଚିତ୍ରକୁ ବିଶ୍ଳେଷଣ କରିବା ପରେ ଜଣାପଡୁଛି ଯେ ଧାନ ଚାଷର କେନ୍ଦ୍ରସ୍ଥଳୀ ବରଗଡ ଜିଲ୍ଲାରେ ଆଦୌ ବର୍ଷା ନାହିଁ; ୧୦୦% ନିଅଣ୍ଟିଆ ସ୍ଥିତି। ନୂଆପଡା, ସୋନପୁର, ମାଲକାନଗିରି ଜିଲ୍ଲା ସ୍ଥିତି ତଦ୍ରୁପ।
ନିଧଡ଼କ ବସିଛନ୍ତି ରାଜ୍ୟ ସରକାର, ପ୍ରସ୍ତୁତି ନାହିଁ
ଅସୁବିଧା କେଉଁଠି; ପାଣିପାଗ ବିଜ୍ଞାନୀ ବଖାଣିଲେ
ରାଜ୍ୟରେ ବୌଦ୍ଧ ହେଉଛି ଏକମାତ୍ର ଜିଲ୍ଲା ଯେଉଁଠାରେ ବର୍ଷା ସ୍ବାଭାବିକ ଠାରୁ ହାରାହାରି ୩୨% ଅଧିକ ରହିଛି। ଦେବଗଡ ଜିଲ୍ଲା (-୫%) ରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ୬ଟି ଜିଲ୍ଲାରେ ଅପେକ୍ଷାକୃତ କମ୍ (-୨୦%ରୁ -୫୯%) ନିଅଣ୍ଟିଆ ସ୍ଥିତି। ଏସବୁ ଜିଲ୍ଲା ହେଲା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ବାଲେସ୍ବର, ଅନୁଗୁଳ, ସମ୍ବଲପୁର ଏବଂ ସୁନ୍ଦରଗଡ। ସେହିଭଳି ୧୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ଯଥେଷ୍ଟ ଅଧିକ। ରିପୋର୍ଟ ଅନୁସାରେ, ଏହି ତାଲିକାରେ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ନୟାଗଡ, ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର ଏବଂ ମୟୂରଭଂଜ ଅଛନ୍ତି।
ପାଣିପାଗ ବିଜ୍ଞାନୀଙ୍କର କହିବା କଥା ହେଉଛି, ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଚାଷ ଉପରେ ଏହାର ବଡ ପ୍ରଭାବ ରହିଛି। ଓଡ଼ିଶାରେ ମାର୍ଚ୍ଚ ମାସରେ ହାରାହାରି ୨୩.୫ ମିମି, ଏପ୍ରିଲରେ ୩୩.୯ ମିମି ଏବଂ ମେ’ମାସରେ ୭୧ ମିମି. ଏହିପରି ମୋଟ ୧୨୮.୪ ମିମି ବର୍ଷା ହେବା କଥା। ଏବର୍ଷ ମାର୍ଚ୍ଚ ମାସ (୧୬ ଦିନ ବର୍ଷା ହୋଇଛି) ରେ ୯୬% କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଏପ୍ରିଲରେ ୨୦ ଦିନ ବର୍ଷା ସତ୍ତ୍ବେ ସ୍ବାଭାବିକ ଠାରୁ ୭୬% କମିଥିଲା। ମେ’ ମାସରେ ୨୮ ଦିନ ଅର୍ଥାତ୍ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ହେଲେ ପ୍ରାକ୍ ମୌସୁମୀ ସମୟ ବା ପ୍ରଥମ ତିନିମାସରେ (ମାର୍ଚ୍ଚରୁ ମେ’) ରାଜ୍ୟରେ ହାରାହାରି ୨୯% କମ୍ ବର୍ଷା ହୋଇଥିଲା। ଯେତେବେଳେ ଜୁନ୍ରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି, ସେବେ ପ୍ରଥମ ସପ୍ତାହରେ ଭୀଷଣ ନିଅଣ୍ଟିଆ (-୭୩%) ପରିସ୍ଥିତିକୁ ଗମ୍ଭୀର କରିଦେଇଛି।
ପାଣିପାଗର ଏହି ଅନିୟମିତତା ସ୍ଥିତିରେ ରାଜ୍ୟରେ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭାଗ୍ୟ କଣ ହେବ? ଲଗାଯାଉଥିବା ଗଛ ସବୁ ବଞ୍ଚିବେ କେମିତି? ଯଦି ଜୁନ୍ ମାସରେ ଟାଇଁ ଟାଇଁ ଖରା ହେବ, ତେବେ ଅକ୍ଷୟତୃତୀୟାରେ ବୁଣାଯାଇଥିବା ଧାନକୁ ଚାଷୀ କିଭଳି ରକ୍ଷା କରିବ? ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ, ପର୍ଯ୍ୟଟକଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିବା ବେଳେ ସରକାର ନିରବଦ୍ରଷ୍ଟା ହୋଇ ବସିବେ କେମିତି?
ସର୍ବୋପରି ପାଣିପାଗର ଏଭଳି ବିଚିତ୍ର ସ୍ଥିତି କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ପରିବେଶ ପୂରାପୂରି ବିଗି଼ଡ଼ିଗଲାଣି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତୁରନ୍ତ ପାଣିପାଗ ବିଜ୍ଞାନୀଙ୍କୁ ଡାକି ଏ ସଂକ୍ରାନ୍ତରେ ରାସ୍ତା କାଢ଼ିବା ବଦଳରେ ଏଯାଏ ଚୁପ୍ ବସିବା ବିଶେଷଜ୍ଞମାନଙ୍କୁ ଆନ୍ଦୋଳିତ କରୁଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା କଥା ହେଉଛି, ଉତ୍ତର ଓ ପଶ୍ଚିମରେ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବାହ କାରଣରୁ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭବ ହେଉଛି। ଏଠାରେ ଗୁରୁଚାପ ଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଦ୍ବିତୀୟତଃ ମେଡ଼ିଆନ୍ ଜୁଲିଅନ୍ ଓସିଲେସନ୍ ଦୁର୍ବଳ ଥିବା କାରଣରୁ ଭାରତର ମହାସାଗରରେ ପଶ୍ଚିମରୁ ପୂର୍ବକୁ ପବନର ଗତି, ସହ ମେଘଖଣ୍ଡ ଗୁଡିକର ଉତ୍ତରାୟଣ ଗତି ବାଧାପ୍ରାପ୍ତ ହେଉଛି। ଏଣୁ ମୌସୁମୀର ଅଗ୍ରସରରେ ବାଧା ଉପୁଜିବା ସହ ଆକାଶରେ ବାଦଲଖଣ୍ଡ ସୃଷ୍ଟି ହୋଇପାରୁନାହିଁ।
ଗୋଟିଏ ପଟେ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ (ଆର୍ଦ୍ରତା ଓ ତାପମାତ୍ରା ଅଧିକ ରହୁଛି) ହେଉଥିବା ବେଳେ ତାହା ଯେବେ ଉପରକୁ ଉଠୁଛି, ପ୍ରତିକୂଳ ସ୍ଥିତି ସାମ୍ନା କରୁଛି। ଓଡ଼ିଶା ବାୟୁମଣ୍ଡଳରେ ୨.୧ କିଲୋମିଟର ଉପରକୁ ଯେଉଁ ପବନ ବହୁଛି ତାହା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ଉତ୍ତପ୍ତ ବାୟୁ ଭରପୁର ରହିଛି, ଫଳ ସ୍ୱରୂପ ତଳଭାଗାରେ ପର୍ଯ୍ୟାପ୍ତ ଜଳୀୟବାଷ୍ପ ସତ୍ତ୍ବେ ମେଘ ଖଣ୍ଡ ସୃଷ୍ଟିରେ ବଡ ବାଧକ ସାଜୁଛି ଏବଂ ଗୁଳୁଗୁଳି ଜନିତ ପାଗକୁ ମାତ୍ରାଧିକ ପ୍ରଶମିତ କରୁଛି। ଯେ ପର୍ଯ୍ୟନ୍ତ ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ହେବ ନାହିଁ, ସେ ଯାଏ ବର୍ଷାର ସମ୍ଭାବନା କ୍ଷୀଣ। ଯେହେତୁ ଓଡ଼ିଶାର ମୌସୁମୀ ଜନିତ ବର୍ଷା ମୁଖ୍ୟତଃ ଲଘୁଚାପ ଉପରେ ନିର୍ଭରଶୀଳ, ଏଣୁ ପାଣିପାଗରେ ଏଭଳି ଚିତ୍ର ଓଡ଼ିଶାରେ ବର୍ଷା କରାଇ ଦେଉନି ବରଂ ପାଣିପାଗ ବିଗାଡ଼ିବାରେ ସାହାଯ୍ୟ କରୁଛି ବୋଲି କୁହାଯାଇପାରେ।