ଓଡ଼ିଶାରେ ପ୍ରାକ୍‌-ମୌସୁମୀ ବର୍ଷା: ୨୪ ଘଣ୍ଟାରେ ସ୍ପର୍ଶ କରିବ ମୌସୁମୀ

ଭୁବନେଶ୍ବର : ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରାକ୍‌-ମୌସୁମୀ ବର୍ଷା। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବୁଧବାର ଦିନ ପ୍ରଥମେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି। ଧୀରେ ଧୀରେ ଏହା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଛୁଇଁଛି। ପ୍ରାକ୍‌-ମୌସୁମୀ ସକ୍ରିୟ ରହିଥିବାରୁ ରାତି ସୁଦ୍ଧା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ରହିଥିବାରୁ ଗୁରୁବାର କିମ୍ବା ଶୁକ୍ରବାର ସକାଳ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ଶ୍ରୀ ବିଶ୍ବାସ ଆହୁରି କହିଛନ୍ତି ଯେ ଏବେ ଓଡ଼ିଶାରେ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ସକ୍ରିୟ ଲାଗି ପାଗ ଅନୁକୂଳ ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ କରିବ। ପରବର୍ତୀ ସମୟରେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକୁ ଛୁଇଁବ। ଗୁରୁବାର ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, ଗଞ୍ଜାମ ଓ ଅନ୍ୟ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ। ଜୁନ୍‌ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ମୌସୁମୀ ସକ୍ରିୟ ହେବାକୁ ଥିବାରୁ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଆସନ୍ତା ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ।

India Mike

ଗତ ୨୪ ଘଣ୍ଟା ହେଲା କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।  ବୁଧବାର ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର ଜିଲ୍ଲା ହାଟଡିହି, କଟକର ଆଠଗଡ଼, ମୟୂରଭଞ୍ଜର ଠାକୁରମୁଣ୍ଡାରେ ୬ ସେମି ଲେଖାଏ ବର୍ଷା ହୋଇଛି। ବାରିପଦା, ସୋନପୁରର ତରଭା, ଢେଙ୍କାନାଳର କଙ୍କଡ଼ାହାଡ଼, କଟକର ନରସିଂହପୁର, ଭଦ୍ରକର ବନ୍ତ, ବାଲେଶ୍ବରର ଖଇରାରେ ୫ ସେମି ଲେଖାଏ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ଦିନରେ ନବରଙ୍ଗପୁରରେ ୪୬.୨ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୩୧, ଦାରିଙ୍ଗବାଡ଼ିରେ ୨୬, କୋରାପୁଟରେ ୨୫, ଭବାନୀପାଟଣା ଓ ଅନୁଗୁଳରେ ୨୦ ମିମି ଲେଖାଏ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ଆଉ କିଛି ସ୍ଥାନରେ ପବନ ସହ ହାଲୁକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର