ଇବ୍‌ ଥର୍ମାଲ/ଝାରସୁଗୁଡ଼ା: ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟା। ପ୍ରଥମେ ଗାଡ଼ିରେ ଧକ୍କା ଦେଲେ। ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲେ। ତଥାପି ଜୀବନ ନ ଯିବାରୁ ବସ୍ତାରେ ପୂରାଇ ଏକ କଲଭର୍ଟ ତଳ ହ୍ୟୁମ୍‌ ପାଇପ୍‌ରେ ଭର୍ତ୍ତି କରି ନିଆଁ ଲଗାଇ ପୋଡ଼ିଦେଲେ। ଝାରସଗୁଡ଼ା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବରିହାପାଲି ଗ୍ରାମରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ମୃତକ ବନହରପାଲି ଥାନା ଦଲଗାଁ ପଞ୍ଚାୟତସ୍ଥିତ ବାଦିମାଲର ରୂପେଶ ପୂଝାରୀ (୫୦)। ବନହରପାଲି ଥାନା ଓ ଲଖନପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଦରପୋଡ଼ା ଶବକୁ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଏଫ୍‌ଏମ୍‌ଟିକୁ ପଠାଯିବ ବୋଲି ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି। ଅଭିଯୁକ୍ତ ସୁଶୀଳ ରାଉତ (୪୮)କୁ ପୁଲିସ ଅଟକ ରଖି ସିନ୍‌ ରିକ୍ରିଏସନ୍‌ କରିଛି। ହତ୍ୟା ପଛରେ ପୂର୍ବ ଶତ୍ରୁତା କାରଣ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Advertisment

ଟିଆର୍‌ଏଲ୍‌ କମ୍ପାନିରେ କାମ କରୁଥିବା ରୂପେଶ ସବୁଦିନ ପରି ଗତ ୫ ତାରିଖରେ ଡ୍ୟୁଟିକୁ ଯାଇଥିଲେ। ସେଠାରୁ ରାତିରେ ସାଇକଲ ଯୋଗେ ଘରକୁ ଫେରୁଥିଲେ। ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ମାଝୀପଡ଼ାର ଧୁବେନଟିପି ନିକଟରେ ସାମନାରୁ ବୋଲେରୋ ଯୋଗେ ଆସୁଥିବା ବାଦିମାଲ ଲିମତଲିଆ ପଡ଼ାର ସୁଶୀଳ ରାଉତ ତାଙ୍କୁ ଧକ୍କା ଦେଇଥିଲେ। କିନ୍ତୁ ଏଥିରେ ରୂପେଶଙ୍କ ମୃତ୍ୟୁ ହୋଇନଥିଲା। ଏହି ଦୃଶ୍ୟ ଦେଖି ଉକ୍ତ ବୋଲେରୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇଥିଲେ। ଏହା ପରେ ସୁଶୀଳ ଏକ ବାଡ଼ିରେ ରୂପେଶଙ୍କୁ ପିଟି ପିଟି ମାରିବାକୁ ଉଦ୍ୟମ କରିଥିଲା। ପରେ ତାଙ୍କୁ ବୋଲେରୋ ଗାଡ଼ିରେ ଭର୍ତ୍ତି କରି ଲଖନପୁର ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ରାସ୍ତାରେ ଥିବା ବରିହାପାଲି ଗାଁର ଏକ କଲଭର୍ଟକୁ ନେଇ ଯାଇଥିଲା। ସେଠାରେ ଏକ ଅଖାବସ୍ତାରେ ରୂପେଶଙ୍କୁ ଭର୍ତ୍ତି କରି ହ୍ୟୁମ୍‌ ପାଇପ୍‌ ଭିତରେ ପୂରାଇ ଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ କିରୋସିନ୍‌ ଢାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା ସୁଶୀଳ। ସେଠାରୁ ଫେରି ରୂପେଶଙ୍କ ସାଇକଲକୁ ଏକ ମୋରମ୍‌ ଖାଲରେ ପକାଇ ଦେଇଥିଲା। ପରିବାର ଲୋକେ ରୂପେଶଙ୍କୁ ଖୋଜାଖୋଜି କରିଥିଲେ। ତେବେ ବୋଲେରୋରୁ ବାହାରି ଚାଲି ଯାଇଥିବା ଯୁବକଜଣଙ୍କ ୭ ତାରିଖ ଦିନ ରୂପେଶଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଆଧାରରେ ପରିବାର ଲୋକେ ଗତକାଲି ବନହରପାଲି ଥାନାରେ ଏତଲା ଦେଇଥିଲେ। ଆଜି ପୁଲିସ୍‌ ସୁଶୀଳକୁ ଅଟକ ରଖି ପଚରାଉଚରା କରିବା ପରେ ସେ ଘଟଣାକୁ ସ୍ବୀକାର କରିବା ସହିତ ପୁଲିସକୁ ଘଟଣାସ୍ଥଳ ଦେଖାଇଥିଲା। ହତ୍ୟାରେ ବ୍ୟବହୃତ ବୋଲେରୋକୁ ପୁଲିସ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି।