ଚଳିତ ବର୍ଷ ପୂରିବ କଣ୍ଟ, ଆରମ୍ଭ ହେଲା ତନାଘନା, ଏନ୍ଆଇସି ଦୋଷ ଦେଲା ବିଭାଗ, ଲ୍ୟାନ୍ ସଂଯୋଗ ନ ଥିବାରୁ ଅଟକିଛି ପ୍ରକଳ୍ପ
ଭୁବନେଶ୍ବର: କାଗଜପତ୍ର ହଟିବ, ସବୁ ହେବ ଡିଜିଟାଲ। ଏଭଳି ଏକ ପରିକଳ୍ପନା ନେଇ କାରାଗାରରେ ଇ-ପ୍ରିଜନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା ହୋଇଛି। ହେଲେ ଦୁଇ ବର୍ଷ ଧରି ଏହି ପ୍ରକଳ୍ପ ଆରମ୍ଭ ହୋଇ ପାରୁନାହିଁ। ଅଧିକାରୀମାନଙ୍କର ଅପାରଗତା ଯୋଗୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ୩ କୋଟି ୩୮ ଲକ୍ଷ ଟଙ୍କାର ଅନୁଦାନ ଫେରି ଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତନାଘନା ହେବା ପରେ ଅଧିକାରୀଙ୍କ ଏହି ଅପାରଗତା ପଦାରେ ପଡ଼ିଛି। ଏନ୍ଆଇସି(ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର)ର ଦୋଷ ଦେଇ ବିଭାଗ ଖସି ଯାଇଛି। ଜେଲ୍ ପରିସରକୁ ଏନ୍ଆଇସି ଲ୍ୟାନ୍(ଲୋକାଲ୍ ଏରିଆ ନେଟ୍ୱାର୍କ) ସଂଯୋଗ ଏ ଯାବତ୍ ଦେଇ ନଥିବାରୁ ପ୍ରକଳ୍ପ ଅଟକି ରହିଥିବା ବିଭାଗ ଦର୍ଶାଇଛି। ଲ୍ୟାନ୍ ସଂଯୋଗ ନ କରିବା ସହ ଏକ ‘ପ୍ରୋଫର୍ମା ଇନ୍ଭଏସ୍’ ଦେବା କଥା,ଏହା ଦିଆଯାଇ ନଥିବାରୁ କାମ ଆଗକୁ ବଢ଼ି ପାରୁ ନଥିବା ଦର୍ଶାଯାଇଛି। ଚଳିତବର୍ଷ ଏହି ପ୍ରକଳ୍ପ ଶେଷ ହେବାକୁ କଣ୍ଟ ରହିଛି। ଏଣୁ ଏନ୍ଆଇସିକୁ ବାଦ୍ ଦେଇ ରାଜ୍ୟ ସରକାରଙ୍କର ଅନ୍ୟ ସ୍ବୀକୃତିପ୍ରାପ୍ତ ସଂସ୍ଥାକୁ ଦାୟିତ୍ବ ଦେବାକୁ ରାଜ୍ୟସ୍ତରୀୟ କମିଟିରେ ନିଷ୍ପତ୍ତି ନେବା ପାଇଁ ସୁପାରିସ ହୋଇଛି।
ଏହି ପ୍ରକଳ୍ପ ଅଟକି ରହିବା ପଛରେ ଆଉ ଏକ କାରଣ ସମଗ୍ର ବିଭାଗକୁ ବିବାଦକୁ ଟାଣିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜେଲ୍ର ସମସ୍ତ ପ୍ରକାରର କାରବାର ଯେ କୌଣସି ସମୟରେ ଉପରିସ୍ଥ ଅଧିକାରୀ ଦେଖିବାକୁ ଚାହିଲେ ଦେଖିପାରିବେ। ବିଭିନ୍ନ ବାଟରେ ଚାଲିଥିବା ଦୁର୍ନୀତି ଆଉ ହୋଇ ପାରିବ ନାହିଁ। ଏଣୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚାହୁ ନଥିବାରୁ ଦୁଇବର୍ଷ ଧରି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନାହିଁ, ଅନୁଦାନ ଟଙ୍କା ଫେରି ଯାଉଛି ବୋଲି ଅଭିଯୋଗ ହେଉଛି। ତା’ ସହିତ ଏହି ପ୍ରକଳ୍ପ ପାଇଁ ପାଖାପାଖି ୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୧୮୧ ୟୁପିଏସ୍ ସମେତ ବିଭିନ୍ନ ସାମଗ୍ରୀ କିଣା ଯାଇଥିବା ବେଳେ ଇନ୍ଷ୍ଟାଲେସନ୍ ପାଇଁ କେବଳ ପ୍ରେଗ୍ରାମରଙ୍କ ପିଛା ୩ ଲକ୍ଷ ୧ ହଜାର ୧୫୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ମୁତାବକ, ଏହି ଯୋଜନା ଅଧୀନରେ ୨୦୦୫ ମସିହାରୁ କଏଦୀଙ୍କ ତଥ୍ୟ କମ୍ପ୍ୟୁଟର୍ରେ ଅପ୍ଲୋଡ୍ କରାଯିବ। ଏଥିପାଇଁ ଏକ ସର୍ଭିସ ପ୍ରୋଭାଇଡର୍ ସହାୟତାରେ ୧୨୪ ଜଣ କର୍ମଚାରୀ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ଖୁବ୍ଶୀଘ୍ର ଟେଣ୍ଡର ହେବ। ତା’ ସହିତ ୧୮୧ କମ୍ପ୍ୟୁଟର, ୧୬ ଲାପ୍ଟପ୍, ପ୍ରିଣ୍ଟର, ଫିଙ୍ଗର ପ୍ରିଣ୍ଟ ସ୍କାନର୍, ସିସିଟିଭି କ୍ୟାମେରା, ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ବ୍ୟବହାର ପାଇଁ ୪ଟି ଲେଖାଏଁ ହାଇ ଏଣ୍ଡ କମ୍ପ୍ୟୁଟର ଓ ଲାପ୍ଟପ୍, କିଣାଯିବାକୁ ଯୋଜନା ହୋଇଛି। ୩ କୋଟି ୩୮ ଲକ୍ଷ ଫେରିଯିବା ପରେ କେନ୍ଦ୍ର ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୧ କୋଟି ୨୫ ଲକ୍ଷ ମଞ୍ଜୁର କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଆଉ କିଛି ମଞ୍ଜୁର ହେବ ବୋଲି ବିଭାଗ ଆଶା କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୫ କୋଟି ୪୬ ଲକ୍ଷ ୩୨ ହଜାର ୧୮୨ ଟଙ୍କା ମଞ୍ଜୁର ହୋଇଛି।
ଏ ନେଇ ଏଡିଜି ତଥା ଆଇଜି ପ୍ରିଜନ୍ ମହେନ୍ଦ୍ର ପ୍ରତାପ କହିଛନ୍ତି, ଚଳିତ ବର୍ଷ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ଗୁରୁତ୍ବର ସହ ବିଚାର କରୁଛୁ। ଗତକାଲି ଏ ନେଇ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ୬୯ ଜେଲ୍ରେ ସିମର୍ଟିକାଲ ବ୍ୟାଣ୍ଡୱିଥ୍ ସଂଯୋଗ ଦିଆଯିବ। ଅନ୍ୟ ୧୮ ଜେଲ୍ରେ ବ୍ରଡ୍ବ୍ୟାଣ୍ଡ ଭିପିଏନ୍ ସଂଯୋଗ ରହିବାକୁ ଯୋଜନା ହୋଇଛି। କେତେକ ଜେଲ୍ରେ ଲ୍ୟାନ୍ ସଂଯୋଗ ମଧ୍ୟ ଦିଆଯିବ। ସୂଚନାଯୋଗ୍ୟ, ଇ-ପ୍ରିଜନ୍ ପ୍ରକଳ୍ପରେ ୨୦୦୫ ମସିହାରୁ ସମସ୍ତ କଏଦୀଙ୍କର ତଥ୍ୟ ଅନ୍ଲାଇନ୍ରେ ଅପ୍ଲୋଡ୍ ହେବ। ଏଥିରେ କଏଦୀ ଓ ତାଙ୍କ ପରିବାରବର୍ଗଙ୍କର ସବିଶେଷ ବିବରଣୀ, ସୂଚନା, ଆପରାଧିକ ରେକର୍ଡ, ଦଣ୍ଡାଦେଶର ବିବରଣୀ, ଫିଙ୍ଗରପ୍ରିଣ୍ଟ, ଫଟୋ, ସ୍ବାସ୍ଥ୍ୟଗତ ସୂଚନା ଉପଲବ୍ଧ ହେବ। ତା ସହିତ କାରାଗାର ପରିଚାଳନା ଗତ ବିବରଣୀ ମଧ୍ୟ ଅପ୍ଲୋଡ୍ କରାଯିବ। ଫଳରେ କଏଦୀଙ୍କ ସ୍ଥିତି ଟ୍ରାକ୍ କରାଯିବା ସହ କାରାଗାର ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇ ପାରିବ। ବିଭିନ୍ନ ସମୟରେ ପରିଚାଳନାଗତ ତ୍ରୁଟି ଓ ଆଭ୍ୟନ୍ତରୀଣ ସମସ୍ୟାର ସରଳ ସମାଧାନ କରାଯାଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Computer-Hacker-blog-600x385.jpg)