୩୧ ସ୍ଥାନରେ ଟିକାକରଣର ପ୍ରାକ୍‌ ଅଭ୍ୟାସ

ଭୁବନେଶ୍ବର : କରୋନା ଟିକାକରଣ ପାଇଁ ଆଜି ରାଜ୍ୟବ୍ୟାପୀ ଡ୍ରାଏ ରନ୍(ପ୍ରାକ୍ ଅଭ୍ୟାସ) କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବ ନିର୍ଧାରିତ ଏସ୍‌ଓପି ଅନୁଯାୟୀ ଡ୍ରାଏ ରନ୍ ହୋଇଛି। ଏଥିରେ ଯେଉଁମାନେ ଟିକା ନେବେ, ସେମାନଙ୍କ ନାଁ ଯାଞ୍ଚଠାରୁ ଆରମ୍ଭ କରି କିଭଳି ଟିକା ପ୍ରଦାନ କରାଯିବ ଓ ଟିକା ନେବା ପରେ ଅଧଘଣ୍ଟା ନିରୀକ୍ଷଣ ଆଦିର ପ୍ରାକ୍ ଅଭ୍ୟାସ ହୋଇଥିଲା। ରାଜ୍ୟର ୩୧ଟି ସ୍ଥାନରେ ଡ୍ରାଏ ରନ୍‌ରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ କ୍ୟାପିଟାଲ ହସ୍ପିଟାଲରେ ଡ୍ରାଏ ରନ୍ ଆରମ୍ଭ ହୋଇଥିଲା। ଭ୍ୟାକ୍ସିନ୍ ଷ୍ଟୋର୍‌ରୁ ଟିକାର ଖାଲି ଭାଏଲ ହସ୍ପିଟାଲରେ ପହଞ୍ଚିଥିଲା। ପ୍ରତି କେନ୍ଦ୍ର ପାଇଁ ୨୫ଜଣ ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରାଯାଇଥିଲା। ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ଚିହ୍ନଟ ହୋଇଥିଲା। ଟିକାକରଣ ଗୃହକୁ ଯିବା ପୂର୍ବରୁ ବାହାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କର ନାଁ ଯାଞ୍ଚ କରିଥିଲେ। ପରେ ସେଠାରେ ପ୍ରତୀକ୍ଷା ଗୃହରେ ପହଞ୍ଚିଥିଲେ। ପରେ ଟିକାକରଣ ଗୃହରେ ରହିଥିବା ଭ୍ୟାକ୍ସିନେଟର୍‌ ସେମାନଙ୍କୁ ଟିକା(କେବଳ ଇଞ୍ଜେକସନ୍‌ ଶୈଳୀ) ଦିଆଯାଇଥିଲା। ପରେ ନିରୀକ୍ଷଣ ଗୃହକୁ ଯାଇଥିଲେ। ସେଠାରେ ଏକାଧିକ ଶଯ୍ୟା ରହିଥିବା ବେଳେ ଅଧଘଣ୍ଟା ରହିବା ପରେ ଫେରିଥିଲେ। ରାଜ୍ୟବ୍ୟାପୀ ସମାନ ଢଙ୍ଗରେ ଏଭଳି ଡ୍ରାଏ ରନ୍ କରାଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଡ୍ରାଏ ରନ୍‌ର ତଦାରଖ କରିଥିଲେ।

ଅପରପକ୍ଷରେ ରାଜ୍ୟରେ କେଉଁମାନଙ୍କୁ ଟିକା ପ୍ରଦାନ କରାଯିବ, ତାହାର ଏକ ତାଲିକା ପ୍ରସ୍ତୁତ ହୋଇସାରିଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟମାନଙ୍କୁ ମିଶାଇ ସମୁଦାୟ ୩.୨୭ଲକ୍ଷଙ୍କୁ ଟିକା ଦିଆଯିବାକୁ ନେଇ ଏ ଯାଏ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋ-ୱିନ୍ ପୋର୍ଟାଲରେ ସେମାନଙ୍କ ପଞ୍ଜୀକରଣ କରାଯାଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପୁନର୍ବାର ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ମଗାଯାଇଥିଲା। ତେଣୁ ରାଜ୍ୟରେ କୌଣସି ସ୍ବାସ୍ଥ୍ୟକର୍ମୀ ଯେପରି ଏଥିରୁ ବାଦ୍‌ ନ ପଡ଼ିବେ, ତାହା ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ଆଗକୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରାଜ୍ୟରେ ଏକ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍‌ ଷ୍ଟୋର୍‌ ସମେତ ୯ଟି ଆଞ୍ଚଳିକ ଷ୍ଟୋର ଓ ୧୨୨୨ କୋଲ୍‌ଡ ଚେନ୍ ପଏଣ୍ଟ ରହିଛି। ରାଜ୍ୟରେ ଟିକାକରଣରେ ୨୯ ହଜାର ୨୭୬ ଟିକାକରଣ କେନ୍ଦ୍ର ଓ ୮୨୭୬ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ ଲକ୍ଷ ସିରିଞ୍ଜ ଯୋଗାଇ ଦିଆଯାଇଛି। ଏବେ ୨୪ଟି ଆଇଏଲଆର ଆସିଥିବା ବେଳେ ଆଗକୁ ଆହୁରି ଆଇଏଲଆର୍‌ ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର