ଏସ୍‌ସିବି ଏକ୍‌ମୋ ୟୁନିଟ୍ ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି, ୧ରେ ଖୋଲିବ ଟେଣ୍ଡର୍‌

କଟକ: କଟକ ବଡ ଡାକ୍ତରଖାନାରେ ଏକ୍‌ମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍ ଖୋଲିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଏସ୍‌ସିବି ମେଡିକାଲର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବାବେଳେ ଜୁଲାଇ ୧ରେ ଟେଣ୍ଡର୍‌ ‌ଖୋଲିବ ବୋଲି ସୂଚନା ମିଳିଛି। ଏହି ଅନଲାଇନ୍‌ ଟେଣ୍ଡର ଆବେଦନରେ ୩ଜଣ ବିଡର୍‌ ପକାଇଥିବା ଜଣାପଡିଛି।

ଏସ୍‌ସିବି କାଡିଓଥୋରାସିସ୍‌ ବିଭାଗ ୟୁନିଟ୍‌ରେ ଏକ୍‌ମୋ ୟୁନିଟ୍‌ ଖୋଲାଯିବ। ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ ପକ୍ଷରୁ ଆସନ୍ତା ୧ ତାରିଖରେ ଟେଣ୍ଡର ଆବେଦନ  କରିଥିବା ସଂସ୍ଥାର ତାଲିକା ଚୂଡ଼ାନ୍ତ କରାଯିବ ବୋଲି ଏସ୍‌ସିବି ମେଡ଼ିକାଲର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ସବୁଠାରୁ ଉତ୍କୃଷ୍ଟ ମେସିନ୍‌ ପକାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ସଂସ୍ଥା ସବୁଠାରୁ କମ୍ ଦରରେ ମେସିନ ପ୍ରଦାନ ପାଇଁ ଆବେଦନ କରିଥିବ ସେ କାର୍ଯ୍ୟ କରିବାକୁ ଅନୁମତି ପାଇବ। ଖୁବ୍‌ଶୀଘ୍ର ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇ ଏକ୍‌ମୋ ୟୁନିଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ୟୁନିଟରେ ୩ଟି ମେସିନ୍ ଉପଲବ୍ଧ ରହିବ ବୋଲି ସେ କହିଥିଲେ। କୋଭିଡ୍‌ ପରବର୍ତ୍ତୀ ଜଟିଳତାର ଚିକିତ୍ସା ପାଇଁ ଏକମୋ ଚିକିତ୍ସା ନିହାତି ଜରୁରୀ। ଗତ କିଛିମାସ ଭିତରେ ଏକ୍‌ମୋ ଚିକିତ୍ସା ପାଇଁ ଅନେକ ସଂକ୍ରମିତ ରାଜ୍ୟ ବାହାରକୁ ଯାଉଥିବା ବେଳେ ଏହି ପ୍ରକ୍ରିୟା ପାଇଁ ଅତିକମ୍‌ରେ ୩ମାସ ସମୟ ଲାଗିଯିବ ବୋଲି ଜଣାପଡିଛି। କୋଭିଡ୍‌ ମ୍ୟାନେଜମେଣ୍ଟ୍‌ ପ୍ରକ୍ରିୟା ଭିତରେ ଏସ୍‌ସିବି ମେଡିକାଲରେ ୬ଟି ଏକ୍‌ମୋ ମେସିନ ବିଶିଷ୍ଟ ଏକ ୟୁନିଟ ଖୋଲିବା ପାଇଁ ଯୋଜନା ହୋଇଥିଲା। ଏହାକୁ କାର୍ଡିଓଥୋରାସିସ୍ ଆଣ୍ଡ ଭାସ୍କୁଲାର ସର୍ଜରି(ସିଟିଭିଏସ୍‌) ବିଭାଗରେ ଆରମ୍ଭ କରାଯିବ।

ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣି, ପଲ୍ୟୁମନାରି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଦେଶର ମୋଟ୍ ୨୧ଟି ହସ୍ପିଟାଲରେ ଏକ୍‌ମୋ ୟୁନିଟ କାର୍ଯ୍ୟ କରୁଛି। ତନ୍ମଧ୍ୟରୁ ୧୯ଟି ଘରୋଇ ମେଡିକାଲରେ ଥିବାବେଳେ ୨ଟି ରହିଛି ସରକାରୀ ମେଡିକାଲରେ। ଡାକ୍ତର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ ଓ ନୂଆଦିଲ୍ଲୀର ଏମ୍ସ୍‌ ଭଳି ସରକାରୀ ମେଡିକାଲରେ ଉକ୍ତ ୟୁନିଟ କାର୍ଯ୍ୟକ୍ଷମ ହେଉଛି।

ସମ୍ବନ୍ଧିତ ଖବର