ଡିଜିଟାଇଜେସନ ହେବ ଅମୂଲ୍ୟ ପୁସ୍ତକ

ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମ୍ମିଳନୀ

ଭୁବନେଶ୍ବର : ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଆୟୋଜିତ ଏହି ଭର୍ଚୁଆଲ ବୈଠକରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କରୋନା ମହାମାରୀର ଭୟାବହତା ସତ୍ତ୍ବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀମାନେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିବାରୁ ପ୍ରଶଂସା କରିଥିଲେ। ସମ୍ଭାବ୍ୟ ତୃତୀୟ ଲହର ବେଳେ ସେମାନେ ସେହିପରି ସଫଳତାର ସହ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, ସୋସିଆଲ ମିଡିଆର ଆଦୃତି ବଢ଼ିବାରେ ଲାଗିଛି। କ୍ରମେ ସବୁ ଡିଜିଟାଇଜେସନ ହେଉଛି। ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଟ୍ୱିଟର, ଫେସ୍‌ବୁକ୍‌ ଓ ହ୍ୱାଟ୍‌ସଆପ୍‌ ଭଳି ସୋସିଆଲ ମିଡିଆ ଉପଯୋଗ କରି ଜିଲ୍ଲାର ସକାରାତ୍ମକ କାହାଣୀ ଲୋକଲୋଚନକୁ ଆଣିବେ। ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପାଠାଗାରର ଅମୂଲ୍ୟ ପୁସ୍ତକଗୁଡ଼ିକୁ ମଧ୍ୟ ଡିଜିଟାଇଜେସନ୍‌ କରିବେ। ଯାହା ଫଳରେ ଏ ସବୁ ସହଜରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ।

ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଥିଲେ। ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ରାଜ୍ୟରେ ଥିବା ସୂଚନା କେନ୍ଦ୍ରଗୁଡ଼ିକର ଉନ୍ନତି, ଇ-ଲାଇବ୍ରେରି, ଏଲ୍‌ଇଡି ସ୍କ୍ରିନ୍‌ ଜରିଆରେ ସୂଚନା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଡ. ପ୍ରମୋଦ ମଲ୍ଲିକ, ଯୁଗ୍ମନିର୍ଦ୍ଦେଶକ ସୁରେନ୍ଦ୍ର ପରିଡ଼ା, ଉପନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ସନ୍ତୋଷ କୁମାର ଦାସ, ବିଶ୍ୱଜିତ ଦାଶ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର