ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ରୂପ ନେଇ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୦ କିମି ଓ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଦିଗ ଚିଲିକା ହ୍ରଦ ନିକଟରେ ସ୍ଥଳଭାଗ ଛୁଇଁଛି। ଏହା କ୍ରମଶଃ ଓଡ଼ିଶାର ଉତ୍ତର-ପଶ୍ଚିମ ଓ ଛତିଶଗଡ଼ ଆଡ଼କୁ ଗତି କରିବା ସହ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୨୧ ତାରିଖ ରବିବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୨୦୦ ମିମି ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ୫୦ରୁ ୬୫ କିମି ରହିବ। ଏଣୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କନ୍ଧମାଳ, କଟକ ଓ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ୨୩ ତାରିଖ ବେଳକୁ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏଣୁ ଉତ୍ତର ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି।
ରାଜ୍ୟରେ ସକ୍ରିୟ ଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୨୨୦ ମିମି ବର୍ଷା ହୋଇଛି। ଫଳରେ ରାସ୍ତା ଓ କେତେକ ପୋଲ ଉପରେ ପାଣି ଚାଲୁଥିବାରୁ ଏଠାରେ ଏକାଧିକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି କୋରାପୁଟର କୋଟପାଡ଼ରେ ୧୬୦, ନବରଙ୍ଗପୁରରେ ୧୧୫, ଗଞ୍ଜାମରେ ୯୭, କଳାହାଣ୍ଡିରେ ୮୫, ମୟୂରଭଞ୍ଜରେ ୬୦, କଟକରେ ୧୧.୪, ଖୋର୍ଦ୍ଧାରେ ୧୧ ଓ ଭୁବନେଶ୍ବରରେ ୧୦.୪ମିମି ବର୍ଷା ହୋଇଥିଲା। ଗତ ରାତିରୁ ଆଜି ସନ୍ଧ୍ୟା ସୁଦ୍ଧା ତାଳଚେରରେ ସର୍ବାଧିକ ୩୫ ମିମି ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୩୪.୪, ବୌଦ୍ଧରେ ୩୧.୬, ଟିଟିଲାଗଡ଼ରେ ୨୬, ମାଲକାନଗିରିରେ ୨୩.୬, ନବରଙ୍ଗପୁରରେ ୨୨, ଗୋପାଳପୁରରେ ୨୧.୬, କଟକରେ ୨୦.୮, ବଲ୍ଲାଙ୍ଗୀରରେ ୧୯, ଅନୁଗୁଳରେ ୧୪, ନୟାଗଡ଼ରେ ୧୫ ଓ ଭୁବନେଶ୍ବରରେ ୮.୮ ମିମି ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ବର୍ଷା ଚଳିତବର୍ଷ ନିଅଣ୍ଟିଆ ହୋଇଛି। ଜୁନ୍ ଆରମ୍ଭରୁ ୧୯ ଜୁଲାଇ ଭିତରେ ସାଧାରଣତଃ ୪୦୫.୫ ମିମି ବର୍ଷା ହେବା କଥା। ଚଳିତବର୍ଷ ଏହି ଅବଧିରେ ୩୦୩.୬ ମିମି ବର୍ଷା ହୋଇଛି। ୧୨ଟି ଜିଲ୍ଲାରେ ସାଧାରଣ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ନିଅଣ୍ଟିଆ ହୋଇଛି।