ଜର୍ମାନୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ହେଲେ ପ୍ରୀତିପ୍ରଭା, ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ
ଉଦ୍ଭିଦର ନାଇଟ୍ରୋଜେନ୍ ଫସଫେଟ୍ ବୃଦ୍ଧି ଦିଗରେ କରିବେ ଗବେଷଣା
ରାୟଗଡ଼ା: ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ନାଇଟ୍ରୋଜେନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ବିଜ୍ଞାନୀ ପ୍ରୀତିପ୍ରଭା ସାହୁ। ଉଦ୍ଭିଦ ନିଜେ ଯେପରି ନାଇଟ୍ରୋଜନ ପ୍ରସ୍ତୁତ କରିବ ଏବଂ ଏହା ଦ୍ବାରା ସମଗ୍ର ବିଶ୍ୱ ଯେପରି ପ୍ରଦୂଷଣ ମୁକ୍ତ ହେବ ସେ ନେଇ ଜର୍ମାନୀରେ ଗବେଷଣା କରିବେ ରାୟଗଡ଼ାର ଝିଅ ପ୍ରୀତିପ୍ରଭା। ଜର୍ମାନୀର ମୁନିଚସ୍ଥିତ ୬ ଶହ ବର୍ଷ ପୁରୁଣା ଲୁଡୱିଗ୍ ମାକ୍ସମିଲନ୍ ବିଶ୍ୱବିଦ୍ୟାଳୟ (ଏଲଏମୟୁ) ପକ୍ଷରୁ ନିକଟରେ ଗବେଷଣା ପାଇଁ ହୋଇଥିବା ସାକ୍ଷାତକାରରେ ପ୍ରୀତିପ୍ରଭା ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ ହୋଇଛନ୍ତି। ଆଗାମୀ ୪ ବର୍ଷ ଧରି ଗବେଷଣା କରି କୃତକାର୍ଯ୍ୟ ହେବା ପରେ ଭାରତ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରୀତିପ୍ରଭା।
Sambad is now on WhatsApp
Join and get latest news updates delivered to you via WhatsApp
ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟୁ ଦିନରୁ ହିଁ ବିଜ୍ଞାନ ପ୍ରତି ଆଗ୍ରହୀ ଥିଲେ ପ୍ରୀତିପ୍ରଭା। ଜର୍ମାନୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ପାଇଁ ମନୋନିତ ପୂର୍ବରୁ ପ୍ରୀତି ୨୦୧୨ରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଜାତୀୟ ଶିଶୁ ବିଜ୍ଞାନ ସମ୍ମିଳନୀରେ ଅଂଶଗ୍ରହଣ କରି ତତ୍କାଳୀନ ରାଷ୍ଟ୍ରପତି ଅବଦୁଲ୍ କାଲାମଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ। କାଲାମଙ୍କ ଉପଦେଶ ହିଁ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିବା କହିଛନ୍ତି ପ୍ରୀତିପ୍ରଭା।
ନ୍ୟାସନାଲ ଇନଷ୍ଟିଚ୍ୟଟ ଅଫ୍ ସାଇନସ୍ ଏଜୁକେସନ୍ ରିସର୍ଚ (ନାଇଜର୍) ରୁ ୫ ବର୍ଷିଆ ଜୀବ ବିଜ୍ଞାନ ପାଠ୍ୟକ୍ରମ ଶେଷ କରିଥିବା ପ୍ରୀତିପ୍ରଭା ୨୦୧୫-୨୦୨୦ ବ୍ୟାଚର ଟପର୍ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥି ସହ ବେଷ୍ଟ୍ ଥେସିସ୍, ଡା. ସୁମିତ୍ରା ମହାରଣା ମେମୋରିଆଲ୍ ଆୱାର୍ଡ ଲାଗି ଅନ୍ୟ ଦୁଇଟି ସ୍ବର୍ଣ୍ଣ ପଦକ ମୋଟ ୩ଟି ସ୍ବର୍ଣ୍ଣ ପଦକ ପାଇ ଓଡ଼ିଶାକୁ ଗୌରାବନିତ୍ବ କରିଛନ୍ତି। ପାଠ୍ୟକ୍ରମ ଶେଷ ପରେ ପିଏଚଡି ପାଇଁ ଜର୍ମାନୀ ବିଶ୍ୱବିଦ୍ୟାଳୟରେ ଆବେଦନ କରିବା ପରେ ସାକ୍ଷାତକାର ପାଇଁ ଡାକିଥିଲେ କର୍ତ୍ତୃପକ୍ଷ। ଫେବ୍ରୁଆରିରେ ଜର୍ମାନୀରେ ହୋଇଥିବା ସାକ୍ଷାତକାରକୁ ସାରା ବିଶ୍ବରୁ ୧୪ ଜଣ ଯାଇଥିବା ବେଳେ ଗବେଷଣା ପାଇଁ ମାତ୍ର ୩ ଜଣ ହିଁ ବିଶ୍ବବିଦ୍ୟାଳୟ ପକ୍ଷରୁ ମନୋନିତ ହୋଇଥିଲେ। ଯାହାଙ୍କ ମଧ୍ୟରେ ପ୍ରୀତିପ୍ରଭା ରହିଛନ୍ତି। ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ ପ୍ରୀତିପ୍ରଭା କାମ କରିବେ।
ସେପ୍ଟେମ୍ବର ୧୪ ତାରିଖରୁ ଗବେଷଣା ଆରମ୍ଭ ହେଉଥିବାରୁ ୮ ତାରିଖରେ ଜର୍ମାନୀ ଅଭିମୁଖେ ଯାତ୍ରା କରିବେ ପ୍ରୀତି। ଜର୍ମାନୀର ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ମାର୍ଟିନ୍ ପାନିସ୍ କେଙ୍କ ତତ୍ତ୍ବାବଧାନରେ ପ୍ରୀତି ଗବେଷଣା କରିବେ। ପ୍ରୀତିଙ୍କ କହିବାନୁଯାୟୀ, ଉଦ୍ଭିଦ ନିଜେ ନାଇଟ୍ରୋଜେନ୍ ଫସଫେଟ୍ ବୃଦ୍ଧି କରିପାରୁନଥିବାରୁ ସାର ମାଧ୍ୟମରେ ତାକୁ ଦିଆଯାଉଛି। ଯାହା ଦ୍ବାରା ମାଟିର ଉର୍ବରତା କମିବା ସହ ବହୁଳ ସାର ବ୍ୟବହାର କରାଯାଇ ଉତ୍ପାଦିତ କରାଯାଇଥିବା ପରିବାକୁ ଖାଇ ମଣିଷ ସମାଜ ବିଭିନ୍ନ ବ୍ୟାଧିର ଶିକାର ହେଉଛନ୍ତି। ଧୀରେ ଧୀରେ ଏହା ଜୀବ ଜଗତ ପାଇଁ ଘାତକ ହେବା ସହ ବହୁ ସମସ୍ୟା ସୃଷ୍ଟି କରୁଛି। ସାର ବଦଳରେ ଉଦ୍ଭିଦ କିପରି ନିଜେ ନାଇଟ୍ରୋଜେନ୍ ଫସଫେଟ୍ ତିଆରି କରି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ସେ ନେଇ ଗବେଷଣା କରିବେ ବୋଲି କହିଛନ୍ତି ପ୍ରୀତି।
୧୯୯୭ରେ ଜନ୍ମିତ ପ୍ରୀତିପ୍ରଭା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ ଭୁବନେଶ୍ବରସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲରେ ପଢ଼ିଥିଲେ। ଏହା ପରେ ଜୀବ ବିଜ୍ଞାନ ପାଠ୍ୟକ୍ରମ ପାଇଁ ନାଇଜରରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରି ଆବେଦନ କରିଥିଲେ। ପ୍ରବେଶିକା ପରୀକ୍ଷାରେ ପ୍ରୀତି କୃତକାର୍ଯ୍ୟ ହେବା ପରେ ୫ ବର୍ଷର ପାଠ୍ୟକ୍ରମକୁ ସଫଳତାର ସହ ଶେଷ କରିବା ସହ ବିଜ୍ଞାନର ବହୁ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି। ପ୍ରୀତିଙ୍କ ବାପା ପ୍ରଭାକର ସାହୁ ଶିକ୍ଷା ବିଭାଗର ବରିଷ୍ଠ କିରାଣୀ ଭାବେ କାମ କରୁଥିବା ବେଳେ ମାଆ ସଂଗୀତା ସାହୁ ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି। ଝିଅର ଏପରି କୃତିତ୍ବ ପାଇଁ ବାପା, ମା ଖସୁଥିବା କହିଛନ୍ତି। ଗବେଷଣା ପରେ ପ୍ରୀତିପ୍ରଭା ଭାରତ ଫେରି ବିଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ପାଇଁ କାମ କରିବେ ବୋଲି ଅଭିଭାବକ ପ୍ରକାଶ କରିଛନ୍ତି।