ପ୍ରୀତିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ:‘ପକୁଡ଼ି, ବରା ବିକି ପରିବାର ପୋଷିବି; ପାଠ ବି ପଢ଼ିବି’

କରଞ୍ଜିଆ ଗୋଲେଇ: ମଣିଷ ପରିସ୍ଥିତିର ଦାସ। ବଞ୍ଚିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରେ। ସେମିତି ଜୀବନଯୁଦ୍ଧରେ ସଂଘର୍ଷ କରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ କୁମ୍ଭୀରଦା ଗାଁ’ର ପ୍ରୀତି ଥୟାଲ। ୧୬ ବର୍ଷ ବୟସରେ ପ୍ରୀତି ଖାଲି ତାଙ୍କ ପରିବାର ଦାୟିତ୍ବ ସମ୍ଭାଳିନାହାନ୍ତି, ବହୁ ବାଧାବିଘ୍ନ ମଧ୍ୟରେ ପାଠପଢ଼ା‌ ବି ଜାରି ରଖିଛନ୍ତି।
ପ୍ରୀତିଙ୍କୁ ଯେତେବେଳେ ୧୧ ବର୍ଷ, ସେହି ସମୟରେ ତାଙ୍କ ବାପା ଏକ ଅଜଣା ରୋଗରେ ଆଖି ବୁଜିଥିଲେ। କଅଁଳ ବୟସରେ ଦୁଇ ଝିଅ ଓ ମା’ଙ୍କ ପାଦତଳୁ ମାଟି ଖସିଯାଇଥିଲା। ସେଇଠୁ ଆରମ୍ଭ ହୁଏ ପ୍ରୀତିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ। ବିଧବା ମାଆ ଓ ସାନଭଉଣୀର ଦାୟିତ୍ୱ ଏବେ ତାଙ୍କ ଉପରେ। ପ୍ରତିଦିନ ସକାଳୁ ନିଜର କାମ ସାରି ବାହାରିପଡ଼ନ୍ତି ସାଇକେଲରେ ୫ କିଲୋମିଟର ଦୂରରେ ଥିବା ଖିଚିଂ ମହାବିଦ୍ୟାଳୟକୁ। ଯୁକ୍ତ ଦୁଇ ପ୍ରଥମବର୍ଷ କଳାରେ ପଢ଼ୁଥିବା ପ୍ରୀତି କଲେଜରୁ ଫେରିଲା ପରେ ପରିବାର ପ୍ରତିପୋଷଣ ପାଇଁ ଗାଁ ଛକରେ ଥିବା ନିଜ ଉଠାଦୋକାନକୁ ଚାଲିଆସନ୍ତି। ଆଉ ପ୍ରତ୍ୟହ ସନ୍ଧ୍ୟାରେ ସେଠାରେ ପକୁଡ଼ି, ବରା, ପିଆଜି ନିଜ ହାତରେ ତିଆରି କରି ବିକ୍ରି କରନ୍ତି। ଏଥିରୁ ଯାହା କିଛି ରୋଜଗାର ହୁଏ, ସେଇଥିରେ ତାଙ୍କ ଅଭାବୀ ପରିବାର କଷ୍ଟେମଷ୍ଟେ ଚଳିଯାଉଛି।

ପ୍ରତିକୂଳ ପରିସ୍ଥିତିରେ ବି ହାର ମାନିନାହାନ୍ତି ପ୍ରୀତି। ଅଭାବ ଅନଟନ ମଧ୍ୟରେ ପରିବାର ଚଳାଇବାକୁ ବୋଝ ନ ଭାବି ଏହା ତାଙ୍କର ଦାୟିତ୍ବ ବୋଲି କହିଛନ୍ତି। ମାଆ ଓ ସାନଭଉଣୀ ସହ ସେ ଏକ ଛୋଟ ଚାଳିଆ ଘରେ  ରହୁଛନ୍ତି। ସେହି ବରା, ପକୁଡ଼ିରୁ ପରିବାର ପୋଷିବା ସହ ପାଠପଢ଼ି ଚାକିରି କରିବେ ବୋଲି ପଣ କରିଛନ୍ତି ପ୍ରୀତି। ତାଙ୍କର କଠିନ ପରିଶ୍ରମ, ଆତ୍ମପ୍ରତ୍ୟୟ କେବେ ବି ବ୍ୟର୍ଥ ଯିବନି ବୋଲି କହିଛନ୍ତି ପ୍ରୀତି। ରାସନ୍‌ କାର୍ଡରେ କେବଳ ଚାଉଳ ଗଣ୍ଡାକ ଛାଡ଼ିଦେଲେ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ପରିବାର। ଆବାସ ଯୋଜନାରେ ଘର ଓ ଉଜ୍ବଳା ଯୋଜନାରେ ଗ୍ୟାସ ପାଇବାକୁ ବହୁ ଆଶା ରଖିଛନ୍ତି ପ୍ରୀତି। ହେଲେ ଏହା ସମ୍ଭବ ହୋଇ ପାରୁନାହିଁ। ପାଖ ସାହିପଡ଼ୋଶୀ ମଧ୍ୟ ପ୍ରୀତିଙ୍କ ପାଠପଢ଼ା ପ୍ରତି ନିଷ୍ଠା ଓ ପରିଶ୍ରମ ଦେଖି ପ୍ରଶଂସାରେ ଶତମୁଖ। ୧୬ ବର୍ଷର ଛୋଟ ଝିଅଟିଏ ନିଜ ଗୋଡ଼ରେ ଠିଆ ହୋଇ ପରିବାର ପ୍ରତିପୋଷଣ କରିବା ସତରେ ଆଜି ଝିଅମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଛୋଟ ଝିଅର ସ୍ବପ୍ନକୁ ସାକାର କରିବା ପାଇଁ ବଦାନ୍ୟ ବ୍ୟକ୍ତିବିଶେଷ ଓ ପ୍ରଶାସନ ସହଯୋଗର ହାତ ବଢ଼ାଇଲେ ଭବିଷ୍ୟତରେ ଆଗକୁ ବଢ଼ିବାକୁ ରାହା ପାଆନ୍ତେ ପ୍ରୀତି।

ସମ୍ବନ୍ଧିତ ଖବର