ମହିଳାଙ୍କ କର୍କଟ ରୋଗ ସଚେତନତା କ୍ଷେତ୍ରରେ ପ୍ରୀତିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
୨୪ ମାର୍ଚ୍ଚ, ଶୁକ୍ରବାର ‘ସମ୍ବାଦ’ ପରିବାର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ
ପ୍ରୀତି ଯଶବନ୍ତ ଷଡ଼ଙ୍ଗୀ ୧୯୮୭ ମସିହା ସେପ୍ଟେମ୍ବର ୭ ତାରିଖ ଛତିଶଗଡ଼ର ରାୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ଜିନ୍ଦଲ ସ୍କୁଲରୁ ପଢ଼ା ସାରି ସେ ରାୟପୁରସ୍ଥିତ ପଣ୍ଡିତ ଦିନଦୟାଲ୍ ଉପାଧ୍ୟାୟ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ସୋଆ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ ସେ ଗୋଲ୍ଡ ମେଡାଲ୍ ବି ହାସଲ କହିଛନ୍ତି। ଥ୍ରି-ଏସ୍ ଡେଣ୍ଟାଲ୍ କେୟାର ପ୍ରା. ଲିଃ. ର ସେ ପ୍ରତିଷ୍ଠାତା ସଦସ୍ୟ। ସେ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟରୁ ବିଡିଏସ୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ ଦନ୍ତ ଚିକିତ୍ସକ ଭାବେ ସେ ହସ୍ପିଟାଲ୍ ଆଡ୍ମିନିଷ୍ଟ୍ରେସନ୍ରେ ଏମ୍ବିଏ କରିଛନ୍ତି। ଏହାପରେ ସେ ଟେଲିମେଡିସିନ୍ରେ ପିଏଚ୍ଡି କରିଛନ୍ତି। କୋଭିଡ୍-୧୯ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଟେଲିମେଡିସିନ୍ରେ ଡା. ଷଡ଼ଙ୍ଗୀଙ୍କ ଗବେଷଣା ସନ୍ଦର୍ଭକୁ ବ୍ୟବହାର କରି ସୁଫଳ ପାଇଛନ୍ତି। ଏହା ଡା. ଷଡ଼ଙ୍ଗୀଙ୍କର ଏକ ବଡ଼ ଆବିଷ୍କାର ଥିଲା। ଟେଲିମେଡିସିନ୍ ଚିକିତ୍ସା ବିଜ୍ଞାନର ଭବିଷ୍ୟତ ବୋଲି କୁହାଯାଉଥିବା ବେଳେ ଧୀରେଧୀରେ ଏହା ପ୍ରମାଣିତ ହେବାରେ ଲାଗିଛି।
କରୋନା ସମୟରେ ଡା. ଷଡ଼ଙ୍ଗୀ ଓ ତାଙ୍କ ଟିମ୍ ଅନେକ ଲୋକଙ୍କୁ ଅମ୍ଳଜାନ ଯୋଗାଇଥିବା ବେଳେ ଅସହାୟଙ୍କୁ ମାଗଣା ଆମ୍ବୁଲାନ୍ସ ଓ ଔଷଧ ଆଦି ଯୋଗାଇଥିଲେ। ଡା. ଷଡ଼ଙ୍ଗୀ ନିଜେ ବିଭିନ୍ନ ହସ୍ପିଟାଲ୍ ଓ ଘର ଘର ବୁଲି କରୋନା ସଂକ୍ରମିତଙ୍କୁ ସ୍ବେଚ୍ଛାକୃତ ଭାବେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ। ଏଥିସହ କରୋନା ଟିକାକରଣକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସେ ଲୋକମାନଙ୍କୁ ସଚେତନ କରାଇଥିଲେ। ବ୍ୟାଙ୍କ୍ କର୍ମଚାରୀ, ବିଦ୍ୟାଳୟ, ମହାବିଦ୍ୟାଳୟ କର୍ମଚାରୀ ଓ ଭୁବନେଶ୍ବରର ସ୍ଥାନୀୟ ଅଧିବାସୀଙ୍କୁ ବିଭିନ୍ନ ଜୁମ୍ ଓ ଗୁଗୁଲ୍ ମିଟ୍ ବୈଠକ ଜରିଆରେ ଯୋଡ଼ି ଟିକାକରଣ ନେଇ ସଚେତନ କରାଇଥିଲେ।
କରୋନାଜନିତ ଜଟିଳତା ଓ ଏହାର ଉପଶମ ପାଇଁ କିଭଳି ଯତ୍ନ ନେବାକୁ ହେବ ତାକୁ ନେଇ ଡା. ଷଡ଼ଙ୍ଗୀ ଥ୍ରି-ଏସ୍ ବ୍ୟାନର୍ ତଳେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ସଚେତନ କରାଇଛନ୍ତି। ବିଭିନ୍ନ ଏନ୍ଜିଓ ସହ ସେ ଯୋଡ଼ି ହୋଇ ଉତ୍ତମ ସ୍ବାସ୍ଥ୍ୟର ଉପାଦେୟତା ଓ ମହିଳାଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗ ସମ୍ପର୍କିତ ସଚେତନତା ପାଇଁ ସେ କାର୍ଯ୍ୟରତ।
ତାଙ୍କ ନାମରେ ୪ଟି ଗବେଷଣା ସନ୍ଦର୍ଭ ରହିଥିବା ବେଳେ ସେ ୨ଟି ପୁସ୍ତକ ମଧ୍ୟ ଲେଖିଛନ୍ତି। ସେ ଚିକିତ୍ସା ବିଜ୍ଞାନର ପରିଚାଳନା, ଶିକ୍ଷା ଓ ଚିକିତ୍ସା ଆଦି ସମସ୍ତ କ୍ଷେତ୍ରରେ ଅଭିଜ୍ଞ। ଏହାଛଡ଼ା ସେ ଜଣେ ଦକ୍ଷ ଇଣ୍ଟେରିଅର୍ ଡିଜାଇନର୍ ଓ ତାଙ୍କର ନିଜସ୍ବ ଏକ ବେକେରି (କାରାମେଲ୍ କ୍ରିଷ୍ଟାଲ୍) ରହିଛି। ଏହାକୁ ସେ କରୋନା ସମୟରେ ଆରମ୍ଭ କରିଥିଲେ। ଘର, ପରିବାର ସହ ନିଜ ବୃତ୍ତିଗତ ଜୀବନ, ବ୍ୟବସାୟ ଓ ସମାଜସେବାକୁ ଠିକ୍ ଭାବେ ପରିଚାଳନା କରୁଥିବା ସେ ଜଣେ ସୁଦକ୍ଷା ସ୍ବାବଲମ୍ବୀ ମହିଳା।