ଅଧ୍ୟାପକ ନିଯୁକ୍ତିରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ, ଓଡ଼ିଆଙ୍କୁ ହତାଦର: ବିରୋଧୀ ଦଳ ନେତା

ନମ୍ବର ଆଧାରରେ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ଆଦେଶର ଖୋଲା ଉଲଂଘନ
ସପ୍ତମ ଶ୍ରେଣୀ ପାସ୍‌ କରିବା ବ୍ୟବସ୍ଥା ସମସ୍ତଙ୍କ ପାଇଁ ଲାଗୁ କରାଯାଉ: ନରସିଂହ

ଭୁବନେଶ୍ୱର : ଅଧ୍ୟାପକ ନିଯୁକ୍ତିରେ ଓଡ଼ିଆ ପ୍ରାର୍ଥୀମାନଙ୍କ ପାଇଁ ଗୋଟିଏ ନୀତି ଓ ଅଣଓଡ଼ିଆ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଅଲଗା ନୀତି। ନମ୍ବର ଆଧାରରେ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ଆଦେଶର ଖୋଲା ଉଲଂଘନ। ଅନ୍ୟ ସମସ୍ତ ସରକାରୀ ନିଯୁକ୍ତିର ଆବେଦନ ବେଳେ ଓଡ଼ିଆ ଭାଷାରେ ସପ୍ତମ ଶ୍ରେଣୀ ପାସ୍‌ ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଏହି ନିୟମ କାହିଁକି ଲାଗୁ କରାଯାଉନି। ସରକାରଙ୍କ ଏହି ଦୋହରା ନୀତି ଯୋଗୁ ଓଡ଼ିଶାର ଉଚ୍ଚଶିକ୍ଷିତ ଯୁବକଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ଫେବ୍ରୁଆରି ମାସରେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ସରକାରୀ ଡିଗ୍ରୀ କଲେଜ୍‌ରେ ୬୦୬ ଅଧ୍ୟାପକ ନିଯୁକ୍ତି ପାଇଁ ହୋଇଥିବା ବିଜ୍ଞପ୍ତିକୁ ନେଇ ଏପରି ଗର୍ଜିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଶ୍ରୀ ନାଏକଙ୍କୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅଧ୍ୟାପକ ପଦବିରେ ଅଣଓଡ଼ିଆମାନଙ୍କୁ ନିଯୁକ୍ତି ମିଳିବାର ୬ ମାସ ଭିତରେ ସପ୍ତମ ଶ୍ରେଣୀ ପାସ୍‌ କରି ପ୍ରମାଣ ପତ୍ର ଦେବା ପାଇଁ ସୁଯୋଗ ଦିଆଯାଉଛି। ଏହାଯୋଗୁଁ ଓଡ଼ିଆ ଶିକ୍ଷିତମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସଂକୁଚିତ ହେଉଛି। ଏଣିକି ନିଯୁକ୍ତି ପୂର୍ବରୁ ସପ୍ତମ ଶ୍ରେଣୀ ପାସ୍‌ ବ୍ୟବସ୍ଥାକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଉ ବୋଲି ସେ ଦାବି କରିଛନ୍ତି।

ଗୁରୁବାର ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଉଠାଇ ଶ୍ରୀ ନାଏକ କହିଥିଲେ, ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ଅନ୍ୟରାଜ୍ୟର ଭାଷା ନ ଜାଣିଲେ ସେସବୁ ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି। କିନ୍ତୁ ଓଡ଼ିଶାରେ ଅଧ୍ୟାପକ ଚାକିରି ପାଇଁ ଅଣଓଡ଼ିଆ ପ୍ରାର୍ଥୀମାନେ ଓଡ଼ିଆ ନ ଜାଣିଥିଲେ ବି ଆବେଦନ କରିପାରୁଛନ୍ତି ଓ ନିଯୁକ୍ତି ମଧ୍ୟ ପାଉଛନ୍ତି। ଓଡ଼ିଶାର ଛାତ୍ରଛାତ୍ରୀମାନେ ଆମ ସରକାରୀ ବିଶ୍ବବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଅନୁଯାୟୀ ନିଜ ପରିଶ୍ରମ ବଳରେ ପାଠପଢ଼ି ମେଧାବୀ ତାଲିକାରେ ସ୍ଥାନ ପାଉଛନ୍ତି। ଅଥଚ ସେମାନଙ୍କ ତୁଳନାରେ ଯଦି ବାହାର ରାଜ୍ୟର ଛାତ୍ରଛାତ୍ରୀ ଅଧିକ ନମ୍ବର ରଖି ଆବେଦନ କରୁଛନ୍ତି, ତାହେଲେ ସେମାନଙ୍କୁ ଚୟନ କରାଯାଉଛି। ଅତୀତରେ ସୁପ୍ରିମକୋର୍ଟ ନମ୍ବର ଆଧାରରେ ଚୟନ କରିବା ବ୍ୟବସ୍ଥା ହୋଇପାରିବନି ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରୁନାହାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ୟୁ.ପି ସ୍କୁଲରୁ ଆରମ୍ଭ କରି ଏମ୍‌.ଇ ସ୍କୁଲ୍‌ ଓ ହାଇସ୍କୁଲ ଏମିତିକି କନିଷ୍ଠ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା କରାଯାଉଛି। ଅଥଚ ଡିଗ୍ରୀ କଲେଜ୍‌ରେ ଅଧ୍ୟାପକ ନିଯୁକ୍ତି କେବଳ କ୍ୟାରିଅର୍‌ ନମ୍ବର ଆଧାରରେ କରାଯାଉଛି। ଏହା ନ୍ୟାୟ ସଂଗତ ନୁହେଁ। କୌଣସି ଘରୋଇ ବିଶ୍ବବିଦ୍ୟାଳୟରୁ ଅଧିକ ନମ୍ବର ପାଇ ଆସିଥିବା ପ୍ରାର୍ଥୀଙ୍କ ସହ ସରକାରୀ ବିଶ୍ବବିଦ୍ୟାଳୟରୁ ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କ ନମ୍ବର କିପରି ତୁଲନା କରାଯିବ। ଏହାଦ୍ବାରା ଉପାନ୍ତ ଜିଲ୍ଲାଠୁ ଆରମ୍ଭ କରି ଉପକୂଳ ଚାରିଆଡ଼େ ଓଡ଼ିଆ ଶିକ୍ଷିତ ବେକାରମାନଙ୍କ ମନରେ ପୁଞ୍ଜିଭୁତ ଅସନ୍ତୋଷ କୁହୁଳୁଛି। ଯେ କୌଣସି ପରିସ୍ଥିତିରେ ଏହା ଆନ୍ଦୋଳନର ରୂପ ନେଇପାରେ। ତେଣୁ ସରକାର ବେଳ ଥାଉ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରନ୍ତୁ। ଶ୍ରୀ ନାଏକଙ୍କୁ ସମର୍ଥନ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ।

ସମ୍ବନ୍ଧିତ ଖବର