ରାଜ୍ୟ ସରକାରଙ୍କ ପରାମର୍ଶ: କରୋନା ଚିହ୍ନଟ ଗର୍ଭବତୀ ମହିଳା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଲେ ଭଲ

ଭୁବନେଶ୍ୱର: କୋଭିଡ-୧୯ ଚିହ୍ନଟ ହେବା ପରେ ଗର୍ଭବତୀ ମହିଳା କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଲେ ଭଲ । ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ମହାନ୍ତି ଆଜି ଏହି ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଗର୍ଭବତୀ ମହିଳା ଯେତେବେଳେ ଜାଣିପାରିବେ ଯେ, ସେ କରୋନା ପଜିଟିଭ ଅଛନ୍ତି, ସେହି ସମୟରେ ସେ ହୋମ୍ ଆଇସୋଲେସନରେ ନ ରହି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ଭଲ । ସେମାନେ ନିକଟସ୍ଥ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେବା ଦ୍ୱାରା ଗର୍ଭରେ ଥିବା ପିଲାଙ୍କୁ କୋଭିଡ ଠାରୁ ମୁକ୍ତ ରଖାଯାଇପାରିବ। ଏତଦ ବ୍ୟତୀତ ପରିବାର ଲୋକେ ମଧ୍ୟ ସଂକ୍ରମଣ ଠାରୁ ଦୂରରେ ରହିପାରିବେ । କରୋନା ଚିହ୍ନଟ ଗର୍ଭବତୀଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଡ. ମହାନ୍ତି କହିଛନ୍ତି ଯେ, ଆମେ ସମସ୍ତେ ଯଦି ସରକାରଙ୍କ ଗାଇଡଲାଇନ ପାଳନ କରିବା, ତାହେଲେ ଘରେ ହୋମ ଆଇସୋଲେସନରେ ରହିପାରିବା । କିନ୍ତୁ ଏଥି ପାଇଁ ଆମକୁ ସଂପୂର୍ଣ୍ଣ ଭାବେ ଆଇସୋଲେସନରେ ରଖିବାକୁ ହେବ । ଏପରିକି ପରିବାର ଲୋକଙ୍କ ସହିତ ଆଦୌ ମିଳାମିଶା କରିିବା ନାହିଁ । ଖାଇବା-ପିଇବା, ପିନ୍ଧିବା, ଶୌଚାଳୟ ପ୍ରତି ଧ୍ୟାନ ଦେବା । ହୋମ ଆଇସୋଲେସନର ଗାଇଡଲାଇନକୁ ପାଳନ କରିବା । ଦିନକୁ ୩ ଥର ତାପମାତ୍ରା ମ।ପିବା, ସରକାରଙ୍କୁ ସମସ୍ତ ସ୍ୱାସ୍ଥ୍ୟ ଜନିତ ଭଲମନ୍ଦ ଜଣାଇବା ।

ରାଜ୍ୟ ସରକାର ହୋମ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କୁ ଔଷଧ କିଟ ଦେଉଛନ୍ତି । ଏଥିରେ ପାରାସିଟାମଲ, ଆଜିଥ୍ରୋମଇଜିନ, ଲିଭୋ ସେଟ୍ରିଜିନ ରହୁଛି ।

ସାଧାରଣ ଜ୍ୱର ହେଲେ ପାରାସିଟାମଲ ଖାଇଲେ ଏହା କମିଯାଏ । କିନ୍ତୁ କୋଭିଡରେ ତାହା ହୁଏ ନାହିାଁ କାଶ, ଥଣ୍ଡା, ବାସ୍ନା ବାରି ନପାରିବା ବାରମ୍ବାର ଝାଡ଼ା ହେବା, ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ଇତ୍ୟାଦି ହେଉଛି କରୋନାର ଲକ୍ଷଣ । ଏହି ସବୁ ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ, କରୋନା ସଂକ୍ରମିତ ଅଛୁ । ରାଜ୍ୟ ସରକାର ହୋମ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କୁ ଔଷଧ କିଟ ଦେଉଛନ୍ତି । ସରକାର ଦେଉଥିବା କିଟରେ ଯଦି କରୋନା ଆକ୍ରାନ୍ତ ଭଲ ନହୁଅନ୍ତି, ତାହେଲେ କୋଭିଡ ହସ୍ପିଟାଲକୁ ନିଆଯିବ । ତାପାମାତ୍ରା ଅଧିକ ରହିବା ଦ୍ୱାରା ପାରାସିଟାମଲ ଖାଇଲେ ମଧ୍ୟ ଜ୍ୱର କମିବ ନାହିଁ । ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତି ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ବୋଲି ଡ. ମହାନ୍ତି ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ଡ. ନିରଂଜନ ମିଶ୍ର କହିଛନ୍ତି, ଜଣେ ଆକ୍ରାନ୍ତ ଲକ୍ଷଣ ଆରମ୍ଭ ହେବା ଦିନଠାରୁ ୧୦ ଦିନ ପର୍ଯ୍ୟନ୍ତ ପୃଥକବାସରେ ରହିବା ଆବଶ୍ୟକ । ପୃଥକବାସ ପୂରଣ ହେବା ପରେ ପୁଣି ୭ ଦିନ ଲାଗି ସ୍ୱ-ନିରୀକ୍ଷଣରେ ରୁହନ୍ତୁ । ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି କୋଭିଡ ମୁକ୍ତ ହୋଇଥିଲେ ଅନ୍ୟରୋଗରୁ ଆରୋଗ୍ୟ ପାଇଁ ଔଷଧ ନେଇପାରିବେ । ଡ. ମିଶ୍ର ପରାମର୍ଶ ଦେଇଛନ୍ତି ଯେ, କୋଭିଡରେ ଆକ୍ରାନ୍ତଙ୍କ ନିକଟରେ ୧୫ ମିନିଟରୁ ଅଧିକ ସମୟ ରହିଲେ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର