ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଶବ ଧରି ଧାରଣାରେ ବସି‌ଲେ ପରିବାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଅସ୍ତ୍ରୋପଚାର ପରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାରବର୍ଗ ମହିଳାଙ୍କ ଶବ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ।

ମୃତ ମହିଳାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁସାରେ, ରଣପୁର କଳାମାଟିଆର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଗର୍ଭବତୀ ପତ୍ନୀ କଳ୍ପନା ସାହୁ (୨୦)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଗତକାଲି ସଂଧ୍ୟାରେ କଳ୍ପନାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ଅନୀତା ଲେଙ୍କା ଏହି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାରର ୨-୩ ଘଣ୍ଟା ପରେ କଳ୍ପନାଙ୍କ ଅସହ୍ୟ ଯନ୍ତ୍ରଣା ହେବାରୁ ଏନେଇ ଡାକ୍ତର ଲେଙ୍କାକୁ ଜଣାଇଯାଇଥିଲା। ହେଲେ ସେ ଏହା ସ୍ୱାଭାବିକ ବୋଲି କହି କୌଣସି ଗୁରୁତ୍ୱ ଦେଇନଥିଲେ । ଆଜି ସକାଳେ କଳ୍ପନାଙ୍କ ଗୁରୁତର ହେବାରୁ ଶରୀରରେ ଅମ୍ଳଜାନ ହ୍ରାସ ପାଉଛି କହି ଚିକିତ୍ସା କରୁଥିବା ଡାକ୍ତର ଭୁବନେଶ୍ୱର ଏମ୍ସକୁ ରେଫର କରିଥିଲେ । ହେଲେ ଏମ୍ସ ଆସିବା ପରେ ଏଠାରେ କଳ୍ପନାଙ୍କ ମୃତ୍ୟୁ ଘଟିଥିଲା ।

ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କଳ୍ପନାଙ୍କ ମରଶରୀର ଧରି ତାଙ୍କ ପରିବାରବର୍ଗ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସୂଚନା ପାଇ ଟାଉନ୍ ଥାନା ପୁଲିସ ଓ ଚିିକିତ୍ସାଳୟ କର୍ତୃପକ୍ଷ ସେଠାରେ ପହଂଚି ତାଙ୍କୁ ବୁଝାଶୁଝା କରିଥିଲେ ।

ଏନେଇ ମୃତ କଳ୍ପନାଙ୍କ ଭାଇ ରତିକାନ୍ତ ପ୍ରଧାନ କହିଛନ୍ତି ଯେ କଳ୍ପନାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ ଏମ୍ସ୍ ରେଫର କରାଯାଇଥିଲା । ଡାକ୍ତରଙ୍କ ପକ୍ଷରେ ଏଭଳି ଅବହେଳା ଅନ୍ୟ କାହା ପ୍ରତି ନଘଟୁ। ଯେଉଁ ପିଲାଟି ଜନ୍ମ ହୋଇଛି, ତା’ର ସଠିକ ଚିକିତ୍ସା କରାଯାଉ । ଦୋଷୀ ଡାକ୍ତରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପ୍ରତିକ୍ରିୟାରେ ଏଡିଏମ୍ଓ (ମେଡିକାଲ୍) ବିଶ୍ୱମୋହନ ମିଶ୍ର କହିଛନ୍ତି ଯେ, ଚିକିତ୍ସାର ଅବହେଳା ନେଇ ତଦନ୍ତ କରାଯିବ ଓ ତଦନ୍ତ ରିପୋର୍ଟ ଆଧାରରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ସରକାରଙ୍କ ନିୟମାନୁସାରେ, ମୃତକଙ୍କ ପରିବାରକୁ ସହାୟତା ଦିଆଯିବ ।

ସମ୍ବନ୍ଧିତ ଖବର