ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ଦେଲେ ଖଟିଆରେ ବୁହା ହୋଇଥିବା ପ୍ରସୂତୀ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୋଉରଝରିଆ ଗ୍ରାମର ଲଳିତା ପୋଟା (୩୫) ନାମ୍ନୀ ଜଣେ ପ୍ରସୂତୀ ରାସ୍ତା ଅଭାବରେ ଗାଁକୁ ୧୦୮ ଆମ୍ବୁଲାନ୍ସ ଯାଇ ନପାରିବାରୁ ସେ ଠିକଣା ସମୟରେ ଚିକିତ୍ସା ପାଇ ନ ପାରି ରବିବାର ଦିନ ଉମରକୋଟ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ଦେଇ ଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଗଉରଝରିଆ ଗ୍ରାମବାସୀଙ୍କ ପ୍ରତି ପ୍ରଶାସନର ଏତାଦୃଶ୍ୟ ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଜିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

ପ୍ରକାଶ ଥାଉକି ଗତ ୧୧ ତାରିଖ ଦିନ ଗୋଉରଝରିଆ ଗ୍ରାମର ଧନୁ ପୋଟାଙ୍କ ସ୍ତ୍ରୀ ଲଳିତା ପୋଟା ପ୍ରସୂତୀ ଜନିତ ଜ୍ୱର ହେବାରୁ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପାଇଁ ୧୦୮କୁ ଫୋନ କରି ଥିଲେ । ଗୋଉର ଝରିଆ ଗ୍ରାମକୁ ରାସ୍ତାରେ ନଦୀ ପଡିବା ସହ ରାସ୍ତା କାଦୁଅରେ ପଚ୍ ପଚ୍ ରହି ଥିବା ଫଳରେ ଗ୍ରାମକୁ ୧୦୮ ଗାଡି ଯାଇନପାରି ରାସ୍ତାରେ ଅଟକି ରହିବାରୁ ବାଧ୍ୟ ହୋଇ ପାରିବାର ଲୋକେ ଏକ ଖଟିଆ ସାହାଯ୍ୟରେ ୪ କିମି କାଦୁଅ ରାସ୍ତାରେ ନଦୀ ପାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପୀର ପ୍ରସାଦ କବି ଶତପଥୀ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟର ଅବସ୍ଥା କିଛି ପରିମାଣରେ ସୁଧାର ଆସିଥିଲା । ଅଧିକା ଚିକିତ୍ସା ପାଇଁ ଲଳିତାଙ୍କୁ ଉମରକୋଟ ହସପିଟାଲକୁ ରେଫର କରାଯାଇ ଥିଲା । ଆଜି ଚିକିତ୍ସାଧିନ ଅବସ୍ଥାରେ ସେ ଆଖିବୁଜି ଦେଇଛନ୍ତି। ତାଙ୍କର ଏକ ସାତ ମାସର ଛୁଆ ରହିଛି ।

ସମ୍ବନ୍ଧିତ ଖବର