ଜନନୀ ଯନ୍ତ୍ରଣା: ପ୍ରସୂତିଙ୍କୁ ଦୋଳାରେ ୫କିମି, ତା’ପରେ ଡଙ୍ଗାରେ…

ପାତ୍ରପୁର : ଗଞ୍ଜାମ ଜିଲ୍ଳା ପାତ୍ରପୁର ବ୍ଳକ୍‌ର ଦୁର୍ଗମ ଆଙ୍କୁଲି ପଞ୍ଚାୟତର ଅବସ୍ଥା ନଗଡ଼ାଠାରୁ ବି ବଳିଯାଇଛି। ବର୍ଷ ବର୍ଷ ଧରି ସ୍ଥିତିରେ ସୁଧାର ଆସିପାରୁନି। ତିନିଟି ପାହାଡ଼ ଡେଇଁ, ଡଙ୍ଗାରେ ଜଳଭଣ୍ଡାର ପାର ହେଲେ ଯାଇ ସ୍ବାସ୍ଥ୍ୟ, ଶିକ୍ଷା, ସରକାରୀ ଯୋଜନାର ସେବା ଉପଲବ୍ଧ। ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଂଚାୟତର ଏଲଗଲ ଗ୍ରାମରୁ ପୁଣି ଜଣେ ପ୍ରସୂତିଙ୍କୁ ୫ କିଲୋମିଟର ଦୋଳାରେ ବୁହା ହେବା ପରେ ଡଙ୍ଗାରେ ପାର ଜଳଭଣ୍ଡାର ପାର କରି ମେଡିକାଲ ଆଣାଯାଇଛି। ପ୍ରସୂତି ଜଣକ ହେଲେ ସରୋଜିନୀ କାର୍ଯୀ (୨୨)।

ବୁରସାହି ଗ୍ରାମର ସରୋଜିନୀ ଗର୍ଭବତୀ ହେବାପରେ ବାପା ଘର ଏଲଗଲ ଗ୍ରାମକୁ ଆସିଥିଲେ। ଗତକାଲି ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଶୀତ କାକରରେ ଦୋଳା ଯୋଗେ ୫ କିଲୋମିଟର ବୋହି ଆଣିବା ପରେ ବାଘଲଟି ଜଳଭଣ୍ତାର ଆରପାରିକୁ ଡଙ୍ଗା ସାହାଯ୍ୟରେ ନେଇଥିଲେ। ତେବେ ସେଠାରୁ ନେବାକୁ ୧୦୨ ଆମ୍ବୁଲାନ୍ସ ବାଘଲଟି ଜଳଭଣ୍ତାର ନିକଟକୁ ଆସିବା ବଦଳରେ ଭୁଲରେ ତାଡ଼କାସାହି ଚାଲି ଯାଇଥିଲା। ସେଠାରେ ସରୋଜିନୀଙ୍କୁ ଧରି କିଛି ସମୟ ଅପେ‌କ୍ଷା କରିବାକୁ ପଡ଼ିଥି‌ଲା। ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳ ସାଢେ଼ ୭ଟାରେ ସରୋଜିନୀଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ବାଘଲଟି ଆରପାରିରେ ଥିବା ଆଦିବାସୀଙ୍କ ପାଇଁ ପକ୍କା ରାସ୍ତା ହେଉ ନାହିଁ କିମ୍ବା ସେମାନଙ୍କୁ ଥଇଥାନ କରାଯାଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ନିତିଦିନିଆ ହୋଇଯାଇଛି।

ସମ୍ବନ୍ଧିତ ଖବର