ପାଟଣା: ପାଟଣା ଥାନା କୋଠାଘର ଗ୍ରାମର ରବି ମହାନ୍ତ ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରିବାରୁ ସେ ଗୁରୁତର ହୋଇଛନ୍ତି। ଏନେଇ ଗର୍ଭବତୀଙ୍କ ଶ୍ବଶୁର କୁମୁଳାବାହାଳି ଗ୍ରାମର ରାମଚନ୍ଦ୍ର ମହାନ୍ତ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ରବିଙ୍କ ଝିଅ ଓ ରାମଙ୍କ ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ପାରିବାରିକ ସ୍ୱୀକୃତି ନ ମିଳିବାରୁ ଉଭୟେ ମନ୍ଦିରରେ ବିବାହ କରିଥିଲେ। କିଛିଦିନ ହେବ ଉଭୟ କୁମୁଳାବାହାଳିସ୍ଥିତ ଘରେ ରହୁଥିଲେ। ଗତକାଲି ରାମଚନ୍ଦ୍ରଙ୍କ ଘରେ ଏକ ଭୋଜିର ଆୟୋଜନ କରାଯାଇଥିଲା।
ଝିଅର ବାପା ଓ ପରିବାର ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ଗର୍ଭବତୀ ବୋହୂଙ୍କୁ ତାଙ୍କ ବାପା ଗୋଇଠା ମାରିଥିବା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ଆକ୍ରମଣରେ ତାଙ୍କ ବୋହୂ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ପାଟଣା ଥାନାରେ କେସ୍ ନମ୍ବର ୭୭/୨୩ରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି।