ନିଷ୍ପାପ ଶିଶୁଙ୍କୁ ପାପଛିଟା

ଆଉ ଜଣେ ଅନ୍ତଃସତ୍ତ୍ବା, କୁମାରୀ ମାତୃତ୍ବ

‌ଢେଙ୍କାନାଳ/ଦାନଗଦୀ/ସମ୍ବଲପୁର : କନ୍ଧମାଳର ଦାରିଙ୍ଗିବାଡ଼ି ଘଟଣା ପରେ ଛାତ୍ରୀ ଅନ୍ତଃସତ୍ତ୍ବା ଓ ନାବାଳିକା ମାତୃତ୍ବକୁ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ଖେଳିଯାଇଛି। ଗତକାଲି କଳାହାଣ୍ଡିର ନର୍ଲାଠାରେ ଘଟିଥିବା ଅନୁରୂପ ଘଟଣା ଏହାର ତାତିକୁ ଆହୁରି ବଢ଼ାଇ ଦେଇଛି। ମାତ୍ର, ଏଇଠାରେ ଘଟଣାର ଅବସାନ ଘଟିନାହିଁ। ଆହୁରି କେତେକ ଘଟଣା ଏବେ ସାମ୍‌ନାକୁ ଆସିଛି। ଢେଙ୍କାନାଳରେ ଜଣେ ଛାତ୍ରୀ ଅନ୍ତଃସତ୍ତ୍ବା ହୋଇଥିବାବେଳେ ଯାଜପୁରରେ ଜଣେ ନାବାଳିକା ପ୍ରସବ କରିଛନ୍ତି। ନର୍ଲାର ପୀଡ଼ିତାକୁ ଆଜି ତରବରିଆ ଭାବେ ବୁର୍ଲା ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି।

ଆଜି ଢେଙ୍କାନାଳରେ ଘଟିଥିବା ଘଟଣା ଅଧିକ ସମ୍ବେଦନଶୀଳ ପାଲଟିଛି। ଢେଙ୍କ‌ାନାଳ ସଦର ଥାନା ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ‌ର ଜଣେ ୮ମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ବିଦ୍ୟାଳୟ ପକ୍ଷରୁ ଏହି ଛାତ୍ରୀଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିବା ପରେ ରାତି ୨ଟାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜନାର୍ଦ୍ଦନ ସାମଲ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ସଦର ଥାନାରେ କେସ୍‌ ନମ୍ବର ୩୯/୧୯, ଦଫା ୩୭୬(୨) ୬ ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି।

ସେହିଭଳି, ଗତକାଲି ବିଳମ୍ବିତ ରାତିରେ ଯାଜପୁରର ଜଣେ ନାବାଳିକା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଳିଙ୍ଗନଗର ପୁଲିସ ଗତକାଲି ନାବାଳିକାକୁ ଯାଜପୁର କୋର୍ଟରୁ ବୟାନ ରେକର୍ଡ କରାଇ ତାର ଗାଁକୁ ନେଉଥିଲା। ସେହି ସମୟରେ ନାବାଳିକାଙ୍କର ପ୍ରସବ ଯନ୍ତ୍ରଣା ହେବାରୁୁ ପୁଲିସ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ଭର୍ତ୍ତି କରାଇଥିଲା। ସେଠାରେ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୁଲିସ୍‌ ଜଣେ ଠିକାଦାରଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ, ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଳାହାଣ୍ଡି ଜିଲ୍ଲା ନର୍ଲା ନବୋଦୟ ବିଦ୍ୟାଳୟର ଗର୍ଭବତୀ ଛାତ୍ରୀଙ୍କ ଗର୍ଭପାତ ପରେ ତରବରିଆଭାବେ ଡିସ୍‌ଚାର୍ଜ କରି ଦିଆଯାଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ନର୍ଲା ଓ ପରେ ଭବାନୀପାଟଣା ସଦର ଡାକ୍ତରଖାନାରୁ ରେଫର ହୋଇ ବୁର୍ଲା ଆସିଥିବା ଏହି ୧୪ ବର୍ଷୀୟା ଛାତ୍ରୀ ଜଣକୁ ବୁର୍ଲାରେ ୨୪ ଘଣ୍ଟା ବି ରଖା ନଯାଇ ଘରକୁ ଛାଡ଼ି ଦିଆଯାଇଥିବାବେଳେ ପୂରା ଘଟଣାକ୍ରମରେ ସଂପୃକ୍ତ ବହୁ ଲୋକଙ୍କୁ ସନ୍ଦେହ ବଳୟକୁ ଟାଣି ଆଣିଛି। ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ସମ୍ବନ୍ଧିତ ଖବର