ଡକାୟତ ସାଜିଲା କାଳରୂପୀ : ଗର୍ଭବତୀଙ୍କୁ ଗୋଇଠା ମାଡ଼, ଚାଲିଗଲା ଗର୍ଭସ୍ଥ ଶିଶୁର ଜୀବନ

ପଟ୍ଟାମୁଣ୍ଡାଇ : ଆଉ କେଇଦିନ ପରେ ଦୁନିଆର ଆଲୋକ ଦେଖିଥା’ନ୍ତା। ମା’ର ଗର୍ଭରେ ରହି ସେହି ସମୟକୁ ଅପେକ୍ଷା କରିଥିଲା। ମାତ୍ର,ବିଧିର ବିଧାନ ଅଲଗା। ଡକାୟତର ଗୋଇଠା ମାଡ଼ରେ ଏହି ଗର୍ଭସ୍ଥ ଶିଶୁଟି ପ୍ରାଣ ହରାଇଛି। ମା’ ବି ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋଷିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ଦୋଷିଆ ଗ୍ରାମର ମାନସୀ ସ୍ୱାଇଁଙ୍କ ସ୍ୱାମୀ ସୁବାସ ବାହାରେ ରହି କାମ କରୁଛନ୍ତି। ଘରେ ୭ ବର୍ଷ ଓ ୪ ବର୍ଷର ଝିଅଙ୍କ ସହ ମାନସୀ ରୁହନ୍ତି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ମାନସୀଙ୍କ ଘରର ଗ୍ରୀଲ ଭାଙ୍ଗି ଘରେ ପଶି ଲାଇନ୍‌ କାଟି ଦେଇଥିଲେ। ଟଙ୍କା ଓ ସୁନା ଦେବା ପାଇଁ ଦାବି କରିଥିଲେ। ମାନସୀ ନ ଦେବାରୁ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଦୁର୍ବୃତ୍ତମାନେ ୧୦ ହଜାର ଟଙ୍କା ସହ ୪ଟି ସୁନା ଚେନ, ୮ ହଳ କାନଫୁଲ, ଗୋଟିଏ ସୁନାର ମଙ୍ଗଳସୂତ୍ର, ଗୋଟିଏ ସୁନା ହାର, ଦୁଇଟି ସୁନା ମୁଦି ଆଦି ଲୁଟି ନେଇ ପଳାଇଥିଲେ। ମାନସୀ ଘରୁ ବାହାରି ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଜଣେ ଦୁର୍ବୃତ୍ତ ତାଙ୍କ ପେଟକୁ ଗୋଇଠା ମାରିବାରୁ ଗର୍ଭବତୀ ଥିବା ମାନସୀ ସେଠାରେ ପଡ଼ିଯାଇଥିଲେ। ଯନ୍ତ୍ରଣାରେ ଚିତ୍କାର କରିବାରୁ ପଡ଼ିଶା ଲୋକେ ପହଞ୍ଚି ଯାଇଥିଲେ। ସେମାନେ ମାନସୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସା ପରେ ମାନସୀଙ୍କ ୭ ମାସର ଗର୍ଭସ୍ଥ ଶିଶୁପୁତ୍ର ପ୍ରାଣ ହରାଇଥିବା ଡାକ୍ତର ସୂଚନା ଦେଇଥିଲେ। ଗର୍ଭପାତ କରାଯାଇ ମୃତ ଶିଶୁପୁତ୍ରଙ୍କୁ ବାହାର କରାଯାଇଥିଲା।

ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଆଧାରରେ ପୁଲିସ ବାସୁଦେବପୁର ଗ୍ରାମର ନିଧିରାମ ମଳିକକୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ତାଙ୍କଠାରୁ ୩୩ ଶହ ଟଙ୍କା ଜବତ କରାଯାଇଛି। ନିଧିରାମର ବୟାନକୁ ଭିତ୍ତି କରି ଦୋଷିଆ ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଓରଫ ବାଇନକୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଚୋରି ଯାଇଥିବା ୧୦ ହଜାର ଟଙ୍କାକୁ ୩ ଜଣ ପରସ୍ପର ମଧ୍ୟରେ ୩୩ ଶହ ଟଙ୍କା ଲେଖାଏଁ କରି ବାଣ୍ଟି ନେଇଥିବା ପୁଲିସ ସୂଚନା ଦେଇଛି। ଚୋରି ଯାଇଥିବା ସୁନା ଅଳଙ୍କାର ଜବତ କରାଯାଇନାହିଁ।। ଅଟକ ଥିବା ଜଣେ ଅଭିଯୁକ୍ତଠାରୁ କୁଆଡେ ମାନସୀ ୧୦ ହଜାର ଟଙ୍କା ଧାର ସୂତ୍ରରେ ଆଣିଥିଲେ। ଏହି ଟଙ୍କାକୁ ଲୁଟି ନେବା ଲାଗି ସେମାନେ ଯୋଜନା କରି ଏଭଳି କାଣ୍ଡ ଭିଆଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର