ମାଲକାନଗିରିରେ ବଢ଼ୁଛି ଜନନୀ ଯନ୍ତ୍ରଣା : ୧୦କିମି ଭାରରେ ବୁହାହେଲେ ଗର୍ଭବତୀ ମହିଳା

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅସହ୍ୟ ହେଲାଣି ଜନନୀ ଯନ୍ତ୍ରଣା। ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଞ୍ଚି ପାରୁନାହାନ୍ତି। କେଉଁଠି ଆମ୍ବୁଲାନସ ଗ୍ରାମକୁ ଯାଇପାରୁନାହିଁ ତ’ ପୁଣି କେଉଁଠି ଗାଁକୁ ରାସ୍ତା ନଥିବା ଯୋଗୁଁ ଗର୍ଭବତୀଙ୍କୁ ଭାର କରି ଡାକ୍ତରଖାନା ଅଣାଯିବା ନିୟମିତ ଘଟଣା ହୋଇଯାଇଛି। ଏଥିନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ବି ଏଦିଗରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ।

ସଦ୍ୟତମ ଘଟଣାକ୍ରମରେ ଖଇରପୁଟ ବ୍ଲକ ବଡଡୁରାଲ ପଞ୍ଚାୟତ ଅନ୍ତର୍ଗତ କୁଟନୀପଦର ଗ୍ରାମର ଜଣେ ଗର୍ଭବତୀ ମହିଳାକୁ ୧୦ କିଲୋମିଟର ବାଟ ଭାରରେ ବୋହି ବାରଙ୍ଗାବାଡି ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରୁ ଆମ୍ବୁଲାନସ ଯୋଗେ ଖଇରପୁଟ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରକାଶ ଥାଉକି ଖଇରପୁଟ ବ୍ଲକରେ ଏହି ଘଟଣା ନୂଆ ନୁହେଁ। ନିୟମିତ ବ୍ୟବଧାନରେ ଏଭଳି ଦୃଶ୍ୟ ଦୁର୍ଗମ ଅଂଚଳରେ ଦେଖିବାକୁ ମିଳୁଛି। ଦୁର୍ଗମ ଅଂଚଳକୁ ରାସ୍ତା ନଥିବା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ରାସ୍ତା ନଥିବା ଯୋଗୁଁ ବିଶେଷ କରି ରୋଗୀ ଏବଂ ଗର୍ଭବତୀ ମହିଳା ବହୁ କଷ୍ଟ ଭୋଗୁଛନ୍ତି। ଖଇରପୁଟ ବ୍ଲକର ବଡଡୁରାଲ ପଞ୍ଚାୟତଟି ସଂପୂର୍ଣ୍ଣ ଦୁର୍ଗମ ଏବଂ ଅପହଞ୍ଚ ଅଂଚଳ ରୂପେ ବେଶ ପରିଚିତ। ଏହି ପଞ୍ଚାୟତଟି ସଂପୂର୍ଣ୍ଣ ମାଓ ଅଧ୍ୟୁଷିତ। ମାଓ ଅଂଚଳ ଯୋଗୁଁ ଏଠାରେ ଆଶାଜନକ ଭାବେ ବିକାଶ‌ ହୋଇପାରିନାହିଁ। କୁଟନୀପଦର ଗ୍ରାମର ଗର୍ଭବତୀ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗ୍ରାମବାସୀ ତୁରନ୍ତ ଭାର କରି ପ୍ରାୟ ୧୦ କିଲୋମିଟର ବାଟ ଚାଲି ଚାଲି ବାରଙ୍ଗବାଡିରେ ପହଞ୍ଚିଥିଲେ। ବାରଙ୍ଗବାଡିରୁ ଆବୁଡାଖାବୁଡା ରାସ୍ତା ଦେଇ ଆମ୍ବୁଲାନସ ଯୋଗେ ଖଇରପୁଟ ଆସିଥିଲେ।

ମାଲକାନଗିରି ଜିଲ୍ଲାରେ ପ୍ରତିଦିନ ଗର୍ଭବତୀ ମହିଳାଙ୍କୁ ବୁହା ହେବା ଘଟଣା ନିୟମିତ ଭାବେ ଖବର କାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଏ ଦିଗରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। ଗ୍ରାମକୁ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଏଥିପ୍ରତି ଗୁରୁତ୍ବ ଦିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ସରକାର ଜିଲ୍ଲାରେ ବିକାଶ ହେଉଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବେ ଜିଲ୍ଲାରେ ଶତାଧିକ ଗ୍ରାମର ଅପହଞ୍ଚ ହୋଇ ରହିଛି। କେବେ ଏଭଳି ଗ୍ରାମବାସୀଙ୍କ ଭାଗ୍ୟ ବଦଳିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର