ନଈ, ନାଳରେ ବୁହାହେଲେ ଗର୍ଭବତୀ, ବିଳମ୍ବ ଯୋଗୁ ନବଜାତକର ମୃତ୍ୟୁ

ନବରଙ୍ଗପୁର/ମଇଦଲପୁର : ପୁଣି ସେଇ ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା। ଶେଷରେ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡି ବ୍ଲକର ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟା ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି।

ଘଟଣା ଅନୁସାରେ, ଗତକାଲି ରାତିରେ କୁସୁମଖୁଣ୍ଟା ଗ୍ରାମର ଟଙ୍କଧର ନାୟକଙ୍କ ସ୍ତ୍ରୀ ବିମଳା ନାୟକଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଗ୍ରାମକୁ ପକ୍କା ରାସ୍ତା ନାହିଁ। ଗତ ସପ୍ତାହ ହେଲା ଲଗାଣ ବର୍ଷା ହେବା ଫଳରେ ଯେଉଁ ମାଟି ରାସ୍ତା ଅଛି ତାହା କାଦୁଅ ପଚ ପଚ ହୋଇଛି। ଶେଷରେ କିଛି ଅନ୍ୟ ଉପାୟ ନପାଇ ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିଲେ। କୁସମଖୁଣ୍ଟା ଠାରୁ ମଇଦଲପୁର ମୋଟ ୧୦ କିମି ହେବ। କୁସମଖୁଣ୍ଟା ଠାରୁ କଣ୍ଟାସାରୁ ୭ କିମି ମଧ୍ୟରେ ପଡେ ଗୋଟିଏ ନଦୀ, ୩ ଟି ନାଳ, ଜଙ୍ଗଲ ଓ ପାହାଡିଆ ରାସ୍ତା। ଏ ପେଟ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା, କାଦୁଅ ପଚ ପଚ ରାସ୍ତାକୁ ଖାତିର ନକରି ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଭାରରେ ଧରି ନଈରେ ୪ ଫୁଟ ପାଣି ଓ ୩ ଟି ନାଳ ଅତିକ୍ରମ କରିଥିଲେ। ପରେ ଜଙ୍ଗଲ ଓ ପାହାଡିଆ ରାସ୍ତା ଅତିକ୍ରମ କରି କଣ୍ଟାସାରୁ ଗ୍ରାମରେ ପହଞ୍ଚିଥିଲେ।

କଣ୍ଟାସାରୁ ଗ୍ରାମକୁ ପହଞ୍ଚିବା ବେଳକୁ ଦିନ ୧୦ଟା ବାଜିଯାଇଥିଲା। ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ଆଶ୍ରୟ ନେଇଥିଲେ। କଣ୍ଟାସାରୁ ଗ୍ରାମର ଆଶାକୁ ଖବର ଦେଇଥିଲେ। ଆଶା ଆମ୍ବୁଲାନସ୍‌କୁ ଖବର ଦେଇଥିଲେ। ଏହା ମଧ୍ୟରେ ଏକ ଘଣ୍ଟା ବିତିଯାଇଥିଲା। ଶେଷରେ ଏକ ଅଟୋ ଭଡା କରି ଗର୍ଭବତୀ ମହିଳାଙ୍କୁ ନେବା ପାଇଁ ଗ୍ରାମରୁ ବାହାରିବା ପରେ ହଠାତ୍‌ ଆମ୍ବୁଲାନସ ପହଞ୍ଚିଥିଲା। ପୁଣି ଅଟୋରୁ ଗର୍ଭବତୀ ମହିଳାଙ୍କୁ ଓହ୍ଲାଇ ଆମ୍ବୁଲାନସରେ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଅପରାହ୍ନ ପ୍ରାୟ ୨ଟା ମଇଦଲପୁର ଡାକ୍ତରଖାନାରେ ପ୍ରସବ ହୋଇଥିଲା। ଏକ ପୂତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ନବଜାତକର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ନବରଙ୍ଗପୁର ମେଡିକାଲରେ ପହଞ୍ଚିଲାବେଳକୁ ଡାକ୍ତର ଏହି ନବଜାତ ଶିଶୁ ପୂତ୍ରକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର