ଅଧାରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଆନନ୍ଦପୁର : ଗାଁକୁ ରାସ୍ତା ନଥିବାରୁ ଆନନ୍ଦପୁର ବ୍ଳକ ଗୟଳମୁଣ୍ଡା ପଞ୍ଚାୟତ କନ୍ତଳା ଗ୍ରାମକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗାଁଠାରୁ ପ୍ରାୟ ଦୁଇ କିମି ଦୂରରେ ଆମ୍ବୁଲାନ୍ସଟି ଅଟକି ରହିଥିଲା। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗାଁକୁ ମୋବାଇଲ ନେଟୱର୍କ ନଥିବାରୁ ଆହୁରି ସମସ୍ୟା ହୋଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ବାଧ୍ୟ ହୋଇ ଚାଲିଚାଲି ଗାଁକୁ ଯାଇଥିଲେ। ଗାଁରୁ ସଂପୃକ୍ତ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ପରେ ଡାକ୍ତରଖାନାକୁ ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗୟଳମୁଣ୍ଡା ପଞ୍ଚାୟତ କନ୍ତଳା ଗ୍ରାମର ସୀତା ବିରୁଆଙ୍କର ଗର୍ଭଯନ୍ତ୍ରଣା ହେବାରୁ ସେମାନେ ଗତକାଲି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲା। ମାତ୍ର ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଆମ୍ବୁଲାନ୍ସ ଅଧା ବାଟରେ ଫସିଯାଇଥିଲା। ଆଉ ଆଗକୁ ବଢ଼ି ପାରି ନଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ସଂପୃକ୍ତ ଗର୍ଭବତୀଙ୍କ ପରିବାରକୁ ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ‌ମୋବାଇଲ ନେଟଓ୍ବର୍କ ନଥିବାରୁ ତାହା ବି ସମ୍ଭବ ହୋଇ ପାରି ନଥିଲା। ଆମ୍ବୁଲାନସ କର୍ମଚାରୀ କେଦାରନାଥ ମହାନ୍ତ, ଭରତ ମହାନ୍ତ, ଡ୍ରାଇଭର ରଂଜିତ୍ ମହାନ୍ତ ପ୍ରମୁଖ ବାଧ୍ୟ ହୋଇ ଗାଁକୁ ଚାଲି ଚାଲି ଯାଇଥିଲେ। ସେଠାରୁ ଖଟିଆରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ବୋହି ଆଣି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ ଥିଲେ। ସେଠାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଗର୍ଭବତୀଙ୍କୁ ସହାୟତା କରି ମହାନତା ଦେଖାଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର