ରାସ୍ତା ପାଲଟିଛି ଦୁଃଖ : ଖଟିଆରେ ୧ କିଲୋମିଟର ବୁହା ହେଲେ ଗର୍ଭବତୀ

ପ୍ରତାପୁର : ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ପଂଚାୟତ ବଣିଆପଲ୍ଲୀ ଗାଁକୁ ଭଲ ରାସ୍ତାଟିଏ ନାହିଁ। ବର୍ଷା ହେଲେ ସ୍ଥିତି ସଂଗୀନ୍‌ ହେଉଥିବା ବେଳେ ଗାଡ଼ି ଯିବା ତ ଦୂରର କଥା, ଚାଲିବା ବି ଏକ ପ୍ରକାର କଷ୍ଟସାଧ୍ୟ ହେଉଛି। ଏଭଳି ଦୁର୍ଦ୍ଦିନ ସ୍ଥିତିରେ ଆଜି ରାତିରେ ପ୍ରସବ ବେଦନାରେ ଛଟପଟ ଜଣେ ଗର୍ଭବତୀଙ୍କୁ ଏକ କିଲୋମିଟର କାଦୁଅ ରାସ୍ତାରେ ଖଟିଆରେ ଅଣାଯାଇ ଆମ୍ବୁଲାନ୍‌ସ ପାଖରେ ପହଞ୍ଚାଇବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନାନୁସାରେ, ଆଜି ରାତି ପ୍ରାୟ ସାଢେ ୮ଟାରେ ରଘୁ ନାଇକଙ୍କ ଝିଅ ରଶ୍ମିତାଙ୍କ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପରିବାର ଲୋକେ ସଂଗେ ସଂଗେ ୧୦୨ ଆମ୍ବୁଲାନ୍‌ସ ସହ ଯୋଗାଯୋଗ କରିଥିଲେ। ତେବେ ଗତ କିଛି ଦିନ ହେଲା ବର୍ଷା କାରଣରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଖାଲଖମା ହୋଇଥିବାରୁ ଆମ୍ବୁଲାନ୍‌ସ ଆସି ପାରି ନଥିଲା। ବାଲିମାଳ ଗାଁ ଠାରୁ ୧ କିମି ଦୂରରେ ଆମ୍ବୁଲାନ୍‌ସ ରହିଯାଇଥିଲା। ଗ୍ରାମବାସୀ ଅନ୍ୟ ଉପାୟ ନପାଇ ଅନ୍ଧାରରେ ଟର୍ଚ୍ଚ ଧରି ଖଟିଆରେ ରଶ୍ମିତାଙ୍କୁ ପକାଇ ବାଲିମାଳ ଯାଏଁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର