ଖଟିଆରେ ବୁହାହେଲେ ଗର୍ଭବତୀ

ହରିଚନ୍ଦନପୁର : ସାହିକୁ ସବୁଦିନିଆ ରାସ୍ତା ନାହିଁ। ବର୍ଷବର୍ଷ ଧରି ଲୋକେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ସାହିକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଜ‌ଣେ ଗର୍ଭବତୀଙ୍କୁ ଖଟିଆରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖକୁ ଅଣାଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପାଞ୍ଚାୟତ ଗଦୁଆଁ ଗ୍ରାମର ମାମୁଳିକା ସାହିରେ।

ସାହିର ରମେଶ ନାଏକଙ୍କ ପତ୍ନୀ ପଦ୍ମାବତୀ ୧୪ ତାରିଖରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ଗ୍ରାମର କିଛି ଯୁବକ ସାମ୍ବାଦିକ ଉଦୟନାଥ ପାତ୍ରଙ୍କୁ ସୂଚନା ଦେଇଥିଲେ। ଶ୍ରୀ ପାତ୍ର ତୁରନ୍ତ ଆମ୍ବୁଲାନ୍ସ ଡାକିଥିଲେ। ମାତ୍ର ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିବ ନାହିଁ। ଏଭଳି ସ୍ଥିତିରେ ଶ୍ରୀ ପାତ୍ର ମାମୁଳିକା ସାହିକୁ ଯାଇ ସୁନା ନାଏକ, ମୋତିଲଲ ମୁର୍ମୁ, ନିମାଇଁ ଚରଣ ସାହୁ, ରାମ ନାଏକ, କାଳିଆ ନାଏକ ଓ ବିଶୁ ସୋରେନଙ୍କ ସହ ମିଶି ଏକ ଖଟରେ ପଦ୍ମାବତୀଙ୍କୁ ବୋହି ଦୁଇ କିଲୋମିଟର ଦୂର ଗଦୁଆଁ ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆଶାକର୍ମୀ ସାବିତ୍ରୀ ଲୋହାରଙ୍କ ସହାୟତାରେ ପଦ୍ମବତୀଙ୍କୁ ଆମ୍ବୁଲାନ୍ସରେ ହରିଚନ୍ଦନପୁର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ମାମୁଳିକା ସାହିକୁ ସବୁଦିନିଆ ରାସ୍ତା ନାହିଁ। ଏ ସମ୍ପର୍କରେ ଗତବର୍ଷ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତତ୍କାଳୀନ ବିଡିଓ ସୁବ୍ରତ କୁମାର ଜେନା ଉକ୍ତ ସାହିକୁ ପରିଦର୍ଶନରେ ଯାଇଥିଲେ। ମନରେଗା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିବା କହିଥିଲେ। ହେଲେ ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନି। ସେହିପରି ଟାଙ୍ଗିରିଆପାଳ ପଞ୍ଚାୟତ ଓଏମ୍‌ସି ଓ ଟାଟା କମ୍ପାନିର ପୋଷ୍ୟ ପାଞ୍ଚାୟତ ଅଟେ। ଏହାସତ୍ତ୍ୱେ ମଧ୍ୟ ସାହିକୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାଦୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର