ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାଗୁଡ଼ା ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ କାଉଡ଼ିରେ ଭାର କରି ୫ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ନିଆଯାଇଛି।

Advertisment

ଏହି ବ୍ଲକର ଲଛିମପର ଗାଁକୁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇପାରି ନାହିଁ। ଲୋକେ ପାଦଚଲା ମାଟି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏଭଳି ସ୍ଥିତିରେ ଆଜି ସକାଳେ ଗାଁର ଗର୍ଭବତୀ ତୁଲା ଖରାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏନେଇ ପରିବାର ଲୋକ ଆଶା କର୍ମୀ ବୃନ୍ଦାଙ୍କୁ ଖବର ଦେଇଥିଲେ। ସେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ଅବସ୍ଥା ଦେଖି ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ଏପରିକି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ। ଖବର ପାଇ ଆମ୍ବୁଲାନ୍ସ ବି ଆସିଥିଲା। କିନ୍ତୁ ଖରାପ ରାସ୍ତା ଯୋଗୁଁ ପଦ୍ମଗିରି ଛକ ଠାରୁ ଆଉ ଆଗକୁ ଆସିପାରି ନଥିଲା। ଶେଷରେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ନେଇଥିଲେ। ଆଧା ରାସ୍ତାରେ ଆମ୍ବୁଲାନ୍ସ ଡ୍ରାଇଭର ବବି ମଣ୍ଡଳ ଓ ଜଣେ ଗଣମାଧ୍ୟମ ପ୍ରତିନିଧି ରତ୍ନାକର ପ୍ରଧାନ ଭାରକୁ ବୋହିଥିଲେ। ଏଭଳି ଭାବେ ପାଳି କରି ଗର୍ଭବତୀଙ୍କୁ ୫କି‌େଲାମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରୁ ଗାଡ଼ିରେ ପୁଣି ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଥିଲା।