ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀପାର

କଳାବାଡିଆ : ସରକାର ରାସ୍ତା ନିର୍ମାଣ ଓ ରାସ୍ତାଘାଟର ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାହେବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଅନ୍ତର୍ଗତ ବାଙ୍ଗିରିପୋଷି ବ୍ଲକ୍ ଚାଉଳଘୋରି ଗ‌ାଁରେ ଘଟିଛି। ରାସ୍ତା ନଥିବାରୁ ତଥା ନାଳ ଉପରେ ପୋଲ ନଥିବାରୁ ଜଣେ ଗର୍ଭବତୀଙ୍କୁ ଖଟିଅ‌ାରେ ନାଳ ପାର କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଚାଉଳଘୋରି ଗ୍ରାମର ବାବୁଲୁ ସିଂଙ୍କ ସ୍ତ୍ରୀ ସୁବୁମଣି(୨୮)ଙ୍କର ଦ୍ୱିତୀୟ ସନ୍ତାନ ପାଇଁ ପ୍ରସବ ଯନ୍ତ୍ରଣା ପାଇଥିଲେ। ତେବେ ୧୦୨ ଆସି ରାସ୍ତା ନଥିବାରୁ ଗ୍ରାମର ଅନତିଦୂରରେ ଛିଡ଼ାହୋଇ ରହିଥିଲା। ବାଧ୍ୟହୋଇ ଗ୍ରାମବାସୀ ଓ ପରିବାର ସଂକରାଇ ନାଳକୁ ପାର କରିବାପାଇଁ ଖଟିଆର ଆଶ୍ରୟ ନେଇଥିଲେ। ପ୍ରାୟ ୨୦୦ ମିଟର ରାସ୍ତା ଓ ନାଳ ଅତିକ୍ରମ କଲାପରେ ୧୦୨ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନିଆଯାଇଥିଲା। ପରବର୍ତ୍ତୀ ସୂଚନା ଅନୁସାରେ ସୁବୁମଣି ଏକ କନ୍ୟା ସାନ୍ତନ ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ସଂକରାଇ ଖାଳ ଉପରେ ସୁଉଚ୍ଚ ପୋଲ ନଥିବାରୁ ଅପର ପାର୍ଶ୍ବରେ ରହୁଥିବା ୪୦ଟି ପରିବାର ନାହିଁ ନଥିବ‌ା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛିଦିନ ପୂର୍ବରୁ ବୁଢିଖମାରୀ ଯୋକା ଗ୍ରାମରେ ରାସ୍ତା ନଥିବାରୁ ଖଟିଆରେ ରୋଗୀଙ୍କୁ ବୋହିବା ଭଳି ଅଭାବନୀୟ ଘଟଣା ବାଙ୍ଗିରିପୋଷିରେ ଚର୍ଚ୍ଚାର ବିଷୟ ପାଲଟିଥଲା। ତୁରନ୍ତ ଏଠାରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର