ପ୍ରସୂତିଙ୍କ ପ୍ରାଣ ନେଲା ଆମ୍ବୁଲାନ୍ସ :  ବାଟରେ ତେଲ ସରିଗଲା, ଛଟପଟ ହୋଇ ପ୍ରସୂତି ମୃତ

ବାରିପଦା/କଳାବାଡିଆ : ପ୍ରସୂତୀଙ୍କୁ ନେଇ ଡାକ୍ତରଖାନା ଯିବା ବାଟରେ ସରକାରୀ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଅଧାବାଟରେ ପ୍ରାୟ ଦୁଇ ଘଣ୍ଟା ଛଟପଟ ହୋଇ ପ୍ରସୂତୀଙ୍କ ପ୍ରାଣଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ହାଣଦା ଗ୍ରାମରେ। ସୂଚନା ଅନୁଯାୟୀ, ଏହି ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡା ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟାରେ ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ତୁଳସୀଙ୍କ ପ୍ରସବ ଲାଗି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ତୁଳସୀଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ତେବେ ବାଙ୍ଗିରିପୋଷି ଡାକ୍ତରଖାନାରେ ପ୍ରସୂତୀଙ୍କ ପାଇଁ ଉଦ୍ଦିଷ୍ଟ ୧୦୨ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା ଏବଂ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଚିତ୍ତରଞ୍ଜନ ବାଧ୍ୟ ହୋଇ ବାଙ୍ଗିରିପୋଷି ଡାକ୍ତରଖାନାରେ ଥିବା ସରକାରୀ ଅମ୍ବୁଲାନ୍ସରେ ତୁଳସୀଙ୍କୁ ଧରି ବାରିପଦା ବାହାରି ଥିଲେ। ତେବେ ଦୁର୍ଭାଗ୍ୟବଶତଃ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ନିକଟରେ ଆମ୍ବୁଲାନ୍ସରେ ତେଲ ସରି ଯାଇଥିଲା। ଫଳରେ ଆମ୍ବୁଲାନ୍ସ ମଧ୍ୟ ରାତିରେ ରାସ୍ତାରେ ଅଟକି ରହିଥିଲା। ସେଠାରୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲେ ବି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା ଆମ୍ବୁଲାନ୍ସ। ସେତେବେଳକୁ ପ୍ରସବ ଯନ୍ତ୍ରଣା ସହ୍ୟ କରିନପାରି ତୁଳସୀ ଆଖି ବୁଜି ସାରିଥିଲେ। ୧୦୮ ଆମ୍ବୁଲାନ୍ସରେ ତୁଳସୀଙ୍କୁ ପିଆର୍‌ଏମ୍‌କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତୁଳସୀ ଓ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟ ହୋଇ ସାରିଥିବା ଘୋଷଣା କରିଥିଲେ।

ଖବରପାଇ ବାଙ୍ଗିରିପୋଷି ପୁଲିସ ପିଆର୍‌ଏମ୍‌ରେ ପହଞ୍ଚି ଶବର ଜବତ୍‌ କରି ବ୍ୟବଚ୍ଛେଦ କରାଇଛି। ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ବୁଲାନ୍ସରେ ତେଲ ସରିଯିବାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିବା ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଜିଲ୍ଲାବାସୀ।

ସେପଟେ ଏହି ଘଟଣା ପରେ ପ୍ରଶାସନିକ ସ୍ତରରେ ସମସ୍ତେ ନିଜ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାରେ ଲାଗିଛନ୍ତି। ଆମ୍ବୁଲାନ୍ସର ଡ୍ରାଇଭର ହରିହର ନାୟକ କହିଛନ୍ତି ଯେ ଆମ୍ବୁଲାନ୍ସରେ ତେଲ ଥିଲା, କିନ୍ତୁ ରାସ୍ତାରେ ତେଲ ଟାଙ୍କିର ପାଇପ୍ ଫାଟି ତେଲ ବୋହିଯାଇଥିଲା। ସିଡିଏମଓ ପ୍ରଦୀପ କୁମାର ମହାପାତ୍ର ଏହାକୁ ଦୁଃଖଦାୟକ ଘଟଣା ବୋଲି କହିବା ସହ ଘଟଣାର ତଦନ୍ତ କରି ଯିଏ ଦାୟିତ୍ୱରେ ଅବହେଳା କରିଛି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତୁଳସୀଙ୍କ ସ୍ବାମୀ ଏହି ଘଟଣା ପାଇଁ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ଦାୟୀ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର