ଦୁଇଟି ଆମ୍ବୁଲାନ୍ସ ଥାଇ ବି ସୁବିଧା ମିଳିଲାନି, ପ୍ରାଣ ହରାଇଲେ ପ୍ରସୂତି

ଗୁରୁଣ୍ଡିଆ : ହସ୍ପିଟାଲ୍‌ ପାଖରେ ଦୁଇ ଦୁଇଟି ଆମ୍ବୁଲାନ୍ସ ରହିଥିଲା। କିନ୍ତୁ ନିର୍ଦେଶ ନ ମିଳିବାରୁ କେହି ବାହାରିଲେନି। ସନ୍ତାନ ଜନ୍ମ କରି ରକ୍ତସ୍ରାବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ନ ପାରି ମୃତ୍ୟୁବରଣ କଲେ। ନବଜାତ ଶିଶୁ ମା’ ଛେଉଣ୍ଡ ହେଲା। ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆରେ। ଏହି ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଘଟଣାଟି ଆମ ସରକାରୀ ନୀତି ନିୟମ ଭିତରେ ଥିବା ତ୍ରୁଟିକୁ ସ୍ପଷ୍ଟ ପ୍ରମାଣିତ କରିଛି।

ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଡିହା ଗ୍ରାମର କସ୍ତୁରୀ ଦଣ୍ଡସେନା (୨୮) ଗତ ଶୁକ୍ରବାର ସଂଧ୍ୟା ସାଢେ ୬ଟା ବେଳେ ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଅଧିକ ଚିକିତ୍ସା‌ ପାଇଁ ତାଙ୍କୁ ରାଉରକେଲା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅଧିକାଂଶ ଦିନ ଭଳି ସେଦିନ ମଧ୍ୟ ଗୁରୁଣ୍ଡିଆରେ ମୋବାଇଲ୍ ନେଟ୍‌ୱର୍କ ନ ଥିବାରୁ ୧୦୮ କିମ୍ବା ୧୦୨ ଗାଡ଼ି ସହିତ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା। କିନ୍ତୁ ଗୁରୁଣ୍ଡିଆ ହସ୍ପିଟାଲ ନିକଟରେ ୧୦୨ ଓ ୧୦୮ ଗାଡ଼ି ଛିଡ଼ା ହୋଇଥିବା ଦେଖି ମହିଳାଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ରାଉରକେଲା ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଫୋନ୍ ନ ଆସିବା ପର୍ଯ୍ୟନ୍ତ ଗାଡି ହଲିବ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ। ବେସରକାରୀ ଗାଡ଼ି‌ରେ ମହିଳାଙ୍କୁ ରାଉରକେଲା ନେବାବେଳକୁ ବିଳମ୍ବ ହୋଇଥିଲା। ପ୍ରାୟ ୪ ଘଣ୍ଟା ପରେ ରାଉରକେଲାରେ ରୋଗୀ ପହଞ୍ଚି ଚିକିତ୍ସା କରାଯାଇଥିଲା। କିନ୍ତୁ ମାତ୍ର ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସଦ୍ୟଜାତ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର