ସର୍ପାଘାତରେ ଗୁରୁତର ଅନ୍ତଃସତ୍ତ୍ବା ମୃତ

ସେବାରେ ଅବହେଳା, ଡାକ୍ତରଖାନାରେ ତାଲା, ମୃତ୍ୟୁ ପରେ ବି କମି ନଥିଲା ଯନ୍ତ୍ରଣା

ସୁନ୍ଦରଗଡ଼ : ବିବାହର ଦେଢ଼ ବର୍ଷ ପରେ ଅନ୍ତଃସତ୍ତ୍ବା ହୋଇଥିଲେ ସରତି। ପ୍ରଥମ ଗର୍ଭକୁ ନେଇ ସ୍ବାମୀସ୍ତ୍ରୀ ବେଶ ଖୁସି ଥିଲେ। ଆଉ ମାତ୍ର ୨ ମାସ ପରେ କୋଳକୁ ଆସିଥାନ୍ତା ସେମାନଙ୍କ ପ୍ରଥମ ସନ୍ତକ। କିନ୍ତୁ ତା’ ପୂର୍ବରୁ ଆଖି ବୁଜିଲେ ସରତି। ଗତକାଲି ସାପ କାମୁଡ଼ାମରେ ତାଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଗାଁ ଡାକ୍ତରଖାନାରେ ତାଲା ପଡ଼ିଥିବା କାରଣରୁ ଠିକ୍ ସମୟରେ ଚିକିତ୍ସା ନପାଇ ସେ କଲବଲ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ଆଣିଛନ୍ତି ହେମଗିର ବ୍ଲକ୍ ଗୋପାଳପୁରର ସରୋଜ ପ୍ରଧାନ, ମୃତାଙ୍କ ସ୍ବାମୀ। ସବୁଠାରୁ ହୃଦୟକୁ ବିଚଳିତ କରିଦେଲା ପରି ଘଟଣାଟି ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ। ସରତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏ ଡାକ୍ତରଙ୍କ ପାଖରୁ ସେ ଡାକ୍ତର, ସିଡିଏମଓ ଅଫିସରୁ ଶବ ବ୍ୟବଚ୍ଛେଦ ଗୃହ ଆଜି ସାରା ଦିନ ବିକଳ ହୋଇ ଘୂରି ବୁଲିଥିଲେ ପତ୍ନୀ ମୃତ୍ୟୁରେ ମ୍ରିୟମାଣ ସ୍ବାମୀ। ଶେଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସନ୍ଧ୍ୟା ୬ଟାରେ ଡାକ୍ତର ଆସି ବ୍ୟବଚ୍ଛେଦ କରିଥିଲେ।

ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ସରୋଜଙ୍କ ଅନ୍ତଃସତ୍ତ୍ବା ପତ୍ନୀ ସରତିଙ୍କୁ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଗୋପାଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଥିଲା। ଏପଟେ ସରତିଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସୁନ୍ଦରଗଡ଼ ଡାକ୍ତରଖାନା ନେବାକୁ ତାଙ୍କୁ ଆମ୍ବୁଲାନ୍ସ ବି ମିଳି ନଥିଲା। ଅନ୍ୟ ଉପାୟ ନପାଇ ତୁରନ୍ତ ଏକ ଗାଡ଼ି ଭଡ଼ା କରି ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା ନେଇଥିଲେ ସ୍ବାମୀ ସରୋଜ। ରାତି ୯ଟାରେ ହସ୍ପିଟାଲ ପହଞ୍ଚିଥିଲେ। ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରି ମୃତଦେହକୁ ମର୍ଗହାଉସକୁ ପଠାଇ ଦେଇଥିଲେ। ସରୋଜ ଓ ସମାଜସେବୀ ନଟକିଶୋର ମିଶ୍ରଙ୍କ ଅଭିଯୋଗକ୍ରମେ, ଗୋପାଳପୁରରେ ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ସେ ଡାକ୍ତରଖାନାରେ ରୋଗୀ ନଦେଖି ଘରୋଇ ଚିକିତ୍ସାରେ ମାତିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ସାପ ବିଷ ନିବାରଣ ଔଷଧ (ଏଣ୍ଟିଭେନମ) ଥିବା ସତ୍ତ୍ବେ ସରତିଙ୍କ ଚିକିତ୍ସା ହୋଇ ନପାରିବା କାରଣରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସମାଜସେବୀ ନଟକିଶୋର ମିଶ୍ର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ଡାକ୍ତରଙ୍କ ଉପସ୍ଥିତି ଦାବି ନେଇ ଧାରଣାରେ ବସିଥିଲେ। ଜିଲ୍ଲା ମୁଖ୍ୟଚିକତ୍ସାଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ଏହାର ସମାଧାନର ରାସ୍ତା ବାହାରିବାର ସମ୍ଭାବନା ଦେଖାଦେଇଥିଲା। ମାତ୍ର ଆଜିର ଘଟଣା ପରେ ଉକ୍ତ ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର