ବାରିପଦା/ରାସଗୋବିନ୍ଦପୁର : ଗୁଜୁରାଟରୁ ଆସିଥିଲେ ବୋଲି ବାଲେଶ୍ୱର ହସ୍ପିଟାଲ ଭର୍ତ୍ତି କଲାନି। ନିଜ ଅଞ୍ଚଳକୁ ପଠାଇଦେଲେ। ମାତ୍ର ସେଠାରେ ମଧ୍ୟ ସମାନ ଦଶା ଭୋଗିଲେ ଜଣେ ୬ମାସର ପ୍ରସୂତୀ ମହିଳା। ଶେଷରେ ୨୪ଘଣ୍ଟା ପରେ ପାଇଲେ ସ୍ବାସ୍ଥ୍ୟସେବା। ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ହସ୍ପିଟାଲରେ ଦୁଇ ମୃତ ଶିଶୁପୁତ୍ର ଜନ୍ମ ଦେଲେ ମହିଳା। ଏମିତି ହୃଦୟବିଦାରକ ଘଟଣା ଘଟିଛି ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦା ଗ୍ରାମପଞ୍ଚାୟତ ଅର୍ନ୍ତଗତ ଚିର୍କୁଣିପଦା ଗାଁରେ।
ଉକ୍ତ ଗ୍ରାମର ରବୀନ୍ଦ୍ର ବେହେରା(୩୦) ଗୁଜୁରାଟର ମୁର୍ବୀରେ ଏକ ଟାଇଲ୍ କାରଖାନାରେ କାମ କରୁଥିଲେ। ବିବାହ ପରେ ତାଙ୍କ ପତ୍ନୀ କୁନୀ ବେହେରା(୨୨)ଙ୍କୁ ସେ ସେଠାକୁ ନେଇଥିଲେ। ତେବେ କୁନୀ ପ୍ରସୂତୀ ଥିବା ଏବଂ ସେଠାରେ ଚଳିବାକୁ ହଇରାଣ ହେବାରୁ ରବୀନ୍ଦ୍ର ତାଙ୍କ ପତ୍ନୀଙ୍କ ସହିତ ଗୁଜୁରାଟର ଗ୍ରୀନ୍ଜୋନ୍ରେ ଥିବା ଉକ୍ତ ଅଞ୍ଚଳରୁ ଶନିବାର(୧୬ ତାରିଖ)ରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ବାହାରି ବାଲେଶ୍ୱରରେ ଗତକାଲି ଦିନ ୧୨ଟାରେ ପହଞ୍ଚିଥିଲେ। ବାଲେଶ୍ୱର ଷ୍ଟେସନରେ ଓହ୍ଲାଇବା ପରେ କୁନୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସ ମଗାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତର ଲେଖିଥିଲେ। ମାତ୍ର ବାଲେଶ୍ୱର ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନେ କୁନୀ ଓ ରବୀନ୍ଦ୍ର ଗୁଜୁରାଟରୁ ଫେରିଥିବା ଶୁଣି ତାଙ୍କ ଘର ରାସଗୋବିନ୍ଦପୁରକୁ ପଠାଇଦେଇଥିଲେ। ପରେ ପତି ପତ୍ନୀ ଏକ ଘରୋଇ ଗାଡି ଭଡ଼ା କରି ରାସଗୋବିନ୍ଦପୁର ହସ୍ପିଟାଲକୁ ଆସିଥିଲେ। ମାତ୍ର ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ରରେ କୁନୀଙ୍କୁ ଭର୍ତ୍ତି କରି ଚିକିତ୍ସା କରିବା ପରିବର୍ତ୍ତେ ଗୁଜୁରାଟରୁ ଆସିଥିବା ଜାଣି କୌଣସି ଚିକିତ୍ସା କରିନଥିଲେ। ସେଠିକାର ସ୍ୱାସ୍ଥ୍ୟ ଅଧିକାରୀ ସେମାନଙ୍କୁ ନିକଟସ୍ଥ କ୍ବାରାଣ୍ଟିନ୍ କେନ୍ଦ୍ରକୁ ଯିବାକୁ କହିଥିଲେ।
ଅନ୍ୟ କୌଣସି ଉପାୟ ନପାଇ ରବୀନ୍ଦ୍ର ଓ କୁନୀ ନିକଟସ୍ଥ ବିନୋଦ ରାୟ ବିଦ୍ୟାପୀଠରେ ହୋଇଥିବା କ୍ବାରାଣ୍ଟିନ୍ ସେଣ୍ଟରରେ ରହିଲେ। ସେଠାରେ ରହିବା ଭିତରେ କୁନୀଙ୍କର ପୁନର୍ବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏସମ୍ପର୍କରେ ଜଣାପଡ଼ିବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରକୁ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା। ଡାକ୍ତର ଜଣଙ୍କ କୁନୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଏହା ମଧ୍ୟରେ ରବୀନ୍ଦ୍ର ଏକାଧିକବାର ରାସଗୋବିନ୍ଦପୁର ବିଡିଓ ଅରୁଣ କୁମାର ଖଣ୍ଡାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା କହିଛନ୍ତି। ମାତ୍ର ବିଡିଓ ଶ୍ରୀ ଖଣ୍ଡା କିଛି ପଦକ୍ଷେପ ନେବା ପରିବର୍ତ୍ତେ ଅପେକ୍ଷା କରିବାକୁ କହିଥିବା ରବୀନ୍ଦ୍ର ଅଭିଯୋଗ କରିଛନ୍ତି। ତେବେ ଘଟଣାସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ବିଧାୟକ ରାଜ କିଶୋର ଦାସ କୋଭିଡ୍ କଣ୍ଟ୍ରୋଲ୍ ରୁମ୍ ଏବଂ ପିଡି ଡିଆର୍ଡିଏ ଚଞ୍ଚଳ ରଣାଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଆଜି ଦିନ ପ୍ରାୟ ୧୧ଟାରେ ତାଙ୍କୁ ଏକ ଆମ୍ବୁଲାନ୍ସ ଜରିଆରେ ବାରିପଦାସ୍ଥିତ ପିଆରଏମ୍ ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ମାତ୍ର କୁନୀ ଦୁଇଟି ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଦିନ ୧.୧୨ ଓ ସାଢ଼େ ୧ଟାରେ ଯଥାକ୍ରମେ ଦୁଇଟି ମୃତଶିଶୁପୁତ୍ରକୁ ଜନ୍ମଦେଇଥିଲେ।
ଗରୀବ ଏବଂ ଗୁଜୁରାଟରୁ ଆସିଲୁ ବୋଲି କଣ ଆମର ସ୍ବାସ୍ଥ୍ୟସେବା ପାଇବାର ଅଧିକାର ନାହିଁ ବୋଲି ରବୀନ୍ଦ୍ର କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ସେ ଗ୍ରୀନ୍ଜୋନରୁ ଆସିଥିଲେ। ତଥାପି ନା ବିଡିଓ ନା ବାଲେଶ୍ବର ଏବଂ ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର କାହିଁକି ସେମାନଙ୍କୁ ଫେରାଇଦେଲା। ଏପରି ଅନେକ ପ୍ରଶ୍ନ ଉଠାଇଛନ୍ତି ସେ। ସେହିପରି କୁନୀଙ୍କର ଡାକ୍ତରୀ ରିପୋର୍ଟ ଦେଖି ସମସ୍ତେ ତାଙ୍କ ପେଟରେ ଯାଆଁଳା ଛୁଆ ଥିବା ଜାଣିଥିଲେ। ତଥାପି କୌଣସି ଚିକିତ୍ସା ବ୍ୟବସ୍ଥା କଲେନି। ଏହା କୁନୀଙ୍କ ଆଖିରୁ ଲୁହ ଶୁଖାଉନାହିଁ। ତେବେ ଏତିକି କୁହାଯାଇପାରେ କରୋନା ଆଗରେ ମାନବିକତା ହାର୍ ମାନିଥିବା ସ୍ପଷ୍ଟ ହୋଇଛି।