ଗାଁକୁ ରାସ୍ତା ନାହିଁ କି ମୋବାଇଲ୍‌କୁ ନେଟ୍‌ୱାର୍କ ଆସୁନି : ଅଧା କିମି ଚାଲିଲେ ଆସନ୍ନ ପ୍ରସବା

ବିଶୋଇ : ଗାଁକୁ ରାସ୍ତା ନାହିଁ। ଏପରିକି ଗାଁରେ ମୋବାଇଲ୍‌କୁ ନେଟ୍‌ୱାର୍କ ଆସୁନି। ଫଳରେ ଆମ୍ବୁଲାନ୍‌ସ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିଲା ନାହିଁ। ଫଳରେ ଆଜି ଜଣେ ଆସନ୍ନ ପ୍ରସବାଙ୍କୁ ପ୍ରାୟ ଅଧା କିମି ଦୂର ଚାଲିବାକୁ ପଡ଼ିଛି। ଏପରି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ପଞ୍ଚାୟତର ବାହାଗାଡ଼ ଗ୍ରାମରେ ନଜରକୁ ଆସିଥିଲା।

ଘଟଣାରୁ ପ୍ରକାଶ, ଗ୍ରାମର ଦେହୁରୀ ସାହିର ଦିସମା ଦେହୁରୀଙ୍କ ପତ୍ନୀ ବିମିଳି ଦେହୁରୀ (୨୪)ଙ୍କୁ ଆଜି ସକାଳୁ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏଥିରେ ବ୍ୟସ୍ତ ହୋଇ ପରିବାର ଲୋକ ଉଭୟ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ମୋବାଇଲ ନେଟୱାର୍କ ନ ଥିବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା। ଗର୍ଭଯନ୍ତ୍ରଣା ଅଧିକ ହେବାରୁ ଦିସମା ଏକ ଘରୋଇ ୪ ଚକିଆ ଗାଡିକୁ ଡକାଇ ଥିଲେ। ମାତ୍ର ଦେହୁରୀ ସାହିକୁ ଉତ୍ତମ ରାସ୍ତା ନ ଥିବାରୁ ଗାଡିଟି ଅଧା କିଲୋମିଟର ଦୂରରେ ଅଟକି ରହିଥିଲା। ବାଧ୍ୟ ହୋଇ ପରିବାର ଓ ପଡ଼ୋଶୀ ଲୋକେ ମିଶି ପ୍ରାୟ ଅଧା କିମି ଦୂର ଯାଏ ଆସନ୍ନ ପ୍ରସବା ବିମିଳିଙ୍କୁ ଚଲାଇ କରି ଗାଡ଼ି ନିକଟକୁ ଆଣିଥିଲେ। ତାଙ୍କୁ ବିଶୋଇ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗାଁରେ ଏହା ଗୋଟିଏ ଘଟଣା ନୁହେଁ, ଏମିତି ଆଗରୁ ମଧ୍ୟ ବହୁବାର ଘଟିଛି। ରାସ୍ତାଟିଏ ନିର୍ମାଣ କରିବାକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଦିଗରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର