ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରି ପାଦେରୀ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁନିମା ପ୍ରଧାନ। ଏହି ଘଟଣା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳ ସାଢ଼େ ୫ ଟାରେ ସୁନିମାଙ୍କ ପେଟ ଓ ଆଖି ବ୍ୟଥା ହୋଇଥିଲା। ଫଳରେ ସୁନିମାଙ୍କୁ ପରିବାର ଲୋକେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର କିଛି ନପଚାରି ସାଲାଇନ୍ ସହ ୨ ଟି ଇଞ୍ଜେକ୍ସନ ଦେଇଥିଲେ ଓ ପରେ ପେଟକୁ ୨ ଥର ଜୋରରେ କୁଆଡ଼େ ଦବାଇ ଦେଇଥିଲେ। ଯାହାଫଳରେ ଗର୍ଭବତୀଙ୍କ ଜୀବନ ଚାଲି ଯାଇଥିଲା ବୋଲି ସ୍ବାମୀ ସୁରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ସୁରେନ୍ଦ୍ର କହିବା ପ୍ରକାରେ, ଗର୍ଭବତୀଙ୍କ ମୃତ୍ୟୁ ପରେ ପୁଣି ଆଉ ଏକ ଇଞ୍ଜେକ୍ସନ୍ ଡାକ୍ତର ଦେଇଥିଲେ ଓ ତା’ ପରେ ଯାଇ ସୁନିମାଙ୍କ ପୂର୍ବ ମେଡିକାଲ ରିପୋର୍ଟ ମାଗିଥିଲେ।
ଭୁଲ ଚିକିତ୍ସାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ
ମୃତ୍ୟୁ ପରେ ଡାକ୍ତର ଜାଣିଲେ ମହିଳା ଗର୍ଭବତୀ ଥିଲେ: ପରିବାର ଲୋକ
ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା, ପରିସ୍ଥିତି ନିୟନ୍ତ୍ରଣ କଲା ପୁଲିସ
ମୃତ୍ୟୁପରେ ପୂର୍ବ ରେକର୍ଡ ଦେଖି ମହିଳା ଜଣଙ୍କ ୬ ମାସର ଗର୍ଭବତୀ ଥିବା ଡାକ୍ତର ସେତେବେଳେ ଜାଣି ପାରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। କିନ୍ତୁ ଚିକିତ୍ସା ପୂର୍ବରୁ କୌଣସି ବିଷୟ ନ ପଚାରି ସାଲାଇନ୍ ଓ ଇଞ୍ଜେକ୍ସନ୍ ଦେବା ସହ ପେଟ ଉପରେ ଚାପ ପକାଇବାରୁ ସୁନିମାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ହେଲେ ବ୍ୟବଚ୍ଛେଦ ବିଳମ୍ବକୁ ନେଇ ପୁଣି ଅସନ୍ତୋଷ ଦେଖା ଦେଇଥିଲା। ପୁଲିସ ପହଞ୍ଚି ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ବିଳମ୍ବ ହୋଇଥିବାରୁ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରି ଶବକୁ ଗ୍ରାମକୁ ନେବାକୁ ବାହାରିଥିଲେ। ହେଲେ ମହାପ୍ରୟାଣ ଗାଡ଼ି ନଥିବାରୁ ବଜାର ମଝିରେ ଶହ ଶହ ଲୋକ ଦେଖୁଥିବା ବେଳେ କାନ୍ଧରେ ବୋହି ଶବକୁ ପ୍ରାୟ ୮ କିଲୋମିଟର ଦୂର ଘରକୁ ନେଇଥିଲେ। ଏଭଳି ଘଟଣାରେ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏହାର ତଦନ୍ତ ଦାବି କରିଛନ୍ତି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟାଧିକାରୀ ଡା. ଜାକେଶ ସାମନ୍ତରାଙ୍କ ସୂଚନା ଅନୁସାରେ, ମହିଳା ଜଣକ ଗର୍ଭବତୀ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିବା କହିଛନ୍ତି। ବ୍ୟବଚ୍ଛେଦ ପାଇଁ ରହିଥିବା ସରକାରୀ ପ୍ରକ୍ରିୟା କାରଣରୁ ବିଳମ୍ବ ଯୋଗୁ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରି ଶବକୁ ସିଧାସିଧା ଘରକୁ ନେଇଥିବା ସେ କହିଛନ୍ତି।